ବେଙ୍ଗାଲୁରୁର ଇଦଗାହ ମୈଦାନରେ ହେବନାହିଁ ଗଣେଶ ଉତ୍ସବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଦଗାହ ମୈଦାନରେ ହେବନାହିଁ ଗଣେଶ ପୂଜା ସମାରୋହ । ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବାବସ୍ଥା ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୨ ଘଣ୍ଟା ଶୁଣାଣି ପରେ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିଚାରପତି ଇନ୍ଦିରା ବନାର୍ଜୀ ଶୁଣାଣି ସମୟରେ କହିଥିଲେ, ଭଗବାନ ଗଣେଶଙ୍କଠାରୁ ଆମକୁ କ୍ଷମା ଦିଅନ୍ତୁ । ଯଥାସ୍ଥିତ ବଳବତ୍ତର ରଖିବାର ଆଦେଶ ଦୁଇ ପକ୍ଷଙ୍କ ଉପରେ ଲାଗୁ ହେବ ।

ପୂର୍ବାବସ୍ଥା ବଜାୟ ରଖିବାର ଆଦେଶ ଦେଇ ସୁପ୍ରିମକୋର୍ଟ ମାମଲା କର୍ଣ୍ଣାଟକ ହାଇକୋର୍ଟ ପଠାଇଛନ୍ତି । ଏହା ପୂର୍ବରୁ ହାଇକୋର୍ଟର ସିଙ୍ଗଲ ବେଞ୍ଚ ମୈଦାନରେ ପୂର୍ବାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡିଭିଜନ ବେ଼ଞ୍ଚ ସରକାରଙ୍କୁ ପୂଜାର ଅନୁମତି ମାଗୁଥିବା ଲୋକଙ୍କ ଆବେଦନ ଉପରେ ବିଚାର କରିବାକୁ କହିଥିଲେ ।

ଏହାପରେ ରାଜ୍ୟ ସରକାର ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବରରେ ପୂଜା ଅନୁମତି ଦେଇ ଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପୂଜା ହେବ ନାହିଁ । ଶୁଣାଣି ସମୟରେ ୱାକଫ ବୋର୍ଡ ପକ୍ଷରୁ ତର୍କ କରି କପିଲ ଶିବ୍ବଲ କହିଥିଲେ ୨ଶହ ବର୍ଷରୁ ଏହି ସମ୍ପତ୍ତି ଆମ ପାଖରେ ଅଛି ଏବଂ ଅନ୍ୟ କୌଣସି ଗୋଷ୍ଠୀ ଏଠାରେ କେବେ ବି କୌଣସି ଧାର୍ମିକ ସମାରୋହ କରିନାହାନ୍ତି । ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏନେଇ ଆମ ହକରେ ଶୁଣାଣି କରିସାରିଛନ୍ତି ।