ଗୁଜୁରାଟ ଦଙ୍ଗା ମାମଲା: ସମସ୍ତ ମାମଲାର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ଟି ମାମଲା ମଧ୍ୟରୁ ୮ଟି ମାମଲା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ମାମଲା ସହ ସମ୍ବନ୍ଧିତ ଅନେକ ଯାଚିକା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲା । ନବନିଯୁକ୍ତ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱାଧୀନ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଛନ୍ତି, ଏତେ ସମୟ ବିତିଯିବା ପରେ ମଧ୍ୟ ଏହି ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ । ଆବେଦନକାରୀ ମାନେ ମଧ୍ୟ ଏଥିରେ ସମହମତି ଦେଇଛନ୍ତି ।

ସେହିପରି ଅନ୍ୟ ମାମଲାରେ କୋର୍ଟ ସାମାଜିକ କର୍ମୀ ତିସ୍ତା ସୀତଲଭାଡଙ୍କୁ ଜାମିନ ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲା ମଧ୍ୟରୁ ୮ ମାମଲାର ନିମ୍ନ ଅଦାଲତ ରାୟ ଶୁଣାଇ ସାରିଛନ୍ତି । ଏଥିରେ ଜାତୀୟ ମାନବାଧିକାର କମିଶନର ଯାଚିକା ମଧ୍ୟ ସାମିଲ ଅଛି । ଏଥିରେ ଦଙ୍ଗା ସମୟରେ ହୋଇଥିବା ହିଁସାର ତଦନ୍ତ ଦାବି କରାଯାଇଥିଲା । କୋର୍ଟ ଦଙ୍ଗା ପୀଡିତ ଏବଂ ସିଟିଜେନ ଫର୍ ଜଷ୍ଟିସ ଏନଜିଓର ରିଟ ଆବେଦନ ଉପରେ ମଧ୍ୟ ବିଚାର କରିଛନ୍ତି ।

ଏନଜିଓ ୨୦୦୩-୨୦୦୪ରେ ଦାଖଲ କରିଥିବା ଆବେଦନରେ ଦଙ୍ଗାର ଯାଞ୍ଚ ଗୁଜୁରାଟ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା । ସୁପ୍ରିମକୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ, କୋର୍ଟ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠିତ କରିସାରିଛି । ଏଥିମଧ୍ୟରୁ ୮ ମାମଲାର ଟ୍ରାଏଲ ସରିଯାଇଛି । ନରୋଦା ଗାଁ ସହ ସମ୍ବନ୍ଧିତ ମାମଲାର ଶୁଣାଣି ଏବେ ଜାରି ରହିଛି ।

ଖଣ୍ଡପୀଠ କହିଥିଲେ, ପୀଡିତ ପରିବାରର ଓକିଲ ଅପର୍ଣ୍ଣା ଭଟ୍ଟ, ଏଜାଜ ମକବୁଲ ଏବଂ ଅମିତ ଶର୍ମା ମଧ୍ୟ ଏସଆଇଟିର ବୟାନ ସହ ସହମତି ପ୍ରକାଶ କରିସାରିଛନ୍ତି । ଏପରି ସ୍ଥିତିରେ ସବୁ ମାମଲାର କୌଣସି କାରଣ ରହିଯାଇନାହିଁ । ଏଥିପାଇଁ ଅଦାଲତ ଭାବୁଛି ଯେ ଏହି ଆବେଦନଗୁଡିକ ଉପରେ ଆଗକୁ ବିଚାର କରିବାର ଆବଶ୍ୟକତା ନାହିଁ ।

ଏସଆଇଟି ଓକିଲ ମୁକୁଲ ରୋହତାଗୀ କୋର୍ଟଙ୍କୁ କହିଥିଲେ ୯ ମାମଲା ମଧ୍ୟରୁ କେବଳ ନାରୋଦା ଗାଁ ଅଞ୍ଚଳରେ ହୋଇଥିବା ହିଁସା ମାମଲା ବିଚାରଧୀନ ଅଛି ଏବଂ ଏଥିରେ ମଧ୍ୟ ଶେଷ ଦଲିଲ ହିଁ ବାକି ଅଛି । ବାକି ୮ ମାମଲାରେ ଶୁଣାଣି ସରିଛି ଏବଂ ସେଗୁଡିକ ସୁପ୍ରିମକୋର୍ଟ ବା ହାଇକୋର୍ଟରେ ଅପିଲେଟ ଷ୍ଟେଜରେ ଅଛି । କୋର୍ଟ ଏହା ଉପରେ କହିଥିଲେ ଯେ, ଆଇନ ଆଧାରରେ ନରୋଦା ଗାଁ ମାମଲାର ଟ୍ରାଏଲ ଜାରି ରହିବ ।