ନିର୍ମାଣଧୀନ ପାଚେରି ଭଙ୍ଗା ଘଟଣାରେ ଦେବଗଡ଼ ବିଜେପି ବିଧାୟକଙ୍କ ୩ ସହଯୋଗୀ ଗିରଫ

1 min read

ଦେବଗଡ଼: ଗିରଫ ହେଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ୩ ସହଯୋଗୀ । ମିଶନ ଶକ୍ତି ଏସଏଚଜିଙ୍କ ନିର୍ମାଣାଧୀନ ପାଚେରି ଭଙ୍ଗା ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଭାଙ୍ଗୁଥିବା ବେଳର ଭିଡିଓ ଫୁଟେଜ ଆଧାରରେ ଗିରଫ କରିଛି ଦେବଗଡ଼ ଥାନା ପୋଲିସ । 120-B, 427, 506 ଆଇପିସି ଓ 3 ପିଡିପିପି ଆକ୍ଟରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

ଗିରଫ ୩ ଅଭିଯୁକ୍ତ ହେଲେ ରାଜକୁମାର ମୁଣ୍ଡା, ବଳିଆ ପାତ୍ର ଓ ସୁମନ୍ତ ଭୋଜ । ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଘଟଣାକୁ ଦୃଢ଼ ନିନ୍ଦା କରିଛି ଦେବଗଡ଼ ଜିଲ୍ଲା ବିଜେଡି । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ଏସଏଚଜି ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।