ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହିଲେ ଦୂର ହେବ ବିପର୍ଯ୍ୟୟ

ପୁରୀ : ଟଳିଯିବ ବିପର୍ଯ୍ୟୟ । ମହାପ୍ରଭୁ ଦେଇଛନ୍ତି ସଙ୍କେତ । ପୁରୀ ମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶ୍ରୀମନ୍ଦିରରେ ଅନେକ ଅଲୌକିକ ଜିନିଷ ସଙ୍ଗଠିତ ହେଉଥିବା କଥା ଆପଣ ଶୁଣିଥିବେ । ହେଲେ ଶୂନ୍ୟଗଣ୍ଠି ପଡିବା କେତେ ଶୁଭ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।
ମହାପ୍ରଭୁଙ୍କର ଅପାର ଲୀଳା । ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଯେତେବେଳେ ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଯାଇଥାଏ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଇଥାଏ । ବିଶ୍ଵାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କୁହନ୍ତି । ଗତକାଲି ପ୍ରବଳ ପବନ ବହିଥିଲା ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା ।
ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଫର ଫର ଉଡୁଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି । ଜଗତ କଲ୍ୟାଣ ନିମନ୍ତେ ବାନା ସଦୃଶ ଚକ୍ରକୁ ନିକ୍ଷେପ କରି ସର୍ବ ବାଧାବିଘ୍ନରୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛନ୍ତି କାଳିଆ ସାଆନ୍ତ । ବାନାରେ ଶୂନ୍ୟ ଘଣ୍ଟି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ । ଆଜି ସନ୍ଧ୍ୟା ସମୟରେ ଚୁନରା ସେବାୟତ ମାନଙ୍କ ଦ୍ୱାରା ଓହ୍ଳାଇଦିଆଯିବ ଏହି ଶୂନ୍ୟ ଘଣ୍ଟି ।