ବିନୋଦ କାମ୍ବଲିଙ୍କୁ ସାହାଯ୍ୟ କରିବେ କପିଲ ଦେବ ଏବଂ ସୁନିଲ ଗାଭାସ୍କର
ନନ୍ଦିଘୋଷ ବ୍ୟୁରୋ: ଘୋର ସ୍ଵାସ୍ଥ୍ୟ ସମସ୍ଯାରେ ପୀଡ଼ିତ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି। ବିନୋଦ କାମ୍ବଲି ଏବେ ଠିକ ଭାବେ ଚାଲି ପାରୁନାହାନ୍ତି । ତାଙ୍କର ଶାରିରୀକ ଓ ମାନସିକ ସ୍ଥିତି ଠିକ ନଥିବା ଜଣାପଡିଛି। ୧୪ ଥର ରିହାବ ସେଣ୍ଟରକୁ ଯାଇ ମଧ୍ୟ ସେ ସୁସ୍ଥ ହୋଇପାରିନାହାନ୍ତି । କାମ୍ବଲିଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ ନାହିଁ। ଏଭଳି ସ୍ଥିତିରେ କାମ୍ବଲିଙ୍କ ସହାୟତା ଲାଗି ଆଗକୁ ଆସିଛନ୍ତି ମହାନ କ୍ରିକେଟର କପିଲ ଦେବ ଓ ସୁନୀଲ ଗାଭାସ୍କର। କାମ୍ବଲିଙ୍କୁ ସହାୟତା କରିବାକୁ ୧୯୮୩ ବିଶ୍ଵକପ ବିଜେତା ଟିମ ମଧ୍ୟ ଆଗକୁ ଆସିଛି । ଯଦି ସେ ସୁସ୍ଥ ହେବାକୁ ରିହାବ ସେଣ୍ଟର ଯିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା କରିବାକୁ ରାଜି ବୋଲି କହିଛନ୍ତି କପିଲ ଦେବ। ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିବ ସମସ୍ତ ଖର୍ଚ୍ଚ କପିଲ ଦେବ ବହନ କରିବାକୁ ରାଜି ଅଛନ୍ତି ବୋଲି ସେ କହିଛନ୍ତି। ସେପଟେ ମହାନ କ୍ରିକେଟ ସୁନୀଲ ଗାଭାସ୍କର କହିଛନ୍ତି, ବିନୋଦ କାମ୍ବଲିଙ୍କୁ ତାଙ୍କ ଗୋଡ଼ରେ ଛିଡ଼ା କରାଇବି। କାମ୍ବଲି ମୋର ପୁଅ ଭଳିଆ ବୋଲି କହିବା ସହ ଆମେ ଏଭଳି ଖେଳାଳିଙ୍କ ପାଇଁ ଚିନ୍ତାରେ ରହିଛୁ ବୋଲି କହିଛନ୍ତି ଗାଭାସ୍କର। ଭାରତୀୟ କ୍ରିକେଟ ଲାଗି ଅବଦାନ ଥିବା ଖେଳାଳିଙ୍କ ସହାୟତା କରିବାକୁ ୧୯୮୩ ବିଶ୍ଵକପ ଟିମ ଚାହୁଁଛି ବୋଲି କହିଥିଲେ ସୁନୀଲ ଗାଭାସ୍କର। କିଛିଦିନ ତଳେ ମୁମ୍ବାଇର ଶିବାଜୀ ପାର୍କରେ ଦିବଙ୍ଗତ କୋଚ ରମାକାନ୍ତ ଆଚରେକରଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ କାମ୍ବଲିଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠଆରେ ତାଙ୍କର ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ସାକ୍ଷାତ କରିଥିଲେ। କାମ୍ବଲି ଏହି ସଭାରେ ଠିକରେ ଚାଲି ପାରୁନଥିଲେ। ସଚିନ ତାଙ୍କୁ ହାତ ଧରି ଡାକିଥିଲେ ମଧ୍ୟ ସେ ଯିବାକୁ ମନା କରି ଦେଇଥିଲେ। ମଦ୍ୟପାନରୁ ନିଶାଗ୍ରସ୍ତ ହୋଇ ବିନୋଦ କାମ୍ବଲିଙ୍କ ଏ ଅବସ୍ଥା ହୋଇଛି । ବଦଭ୍ଯାସ ଯୋଗୁଁ କାମ୍ବଲି ଏଭଳି ଶାରିରୀକ ସମସ୍ଯାର ସାମନା କରୁଛନ୍ତି।