ପୋଲିସ ନିକଟରେ ପାଗଳ ପ୍ରେମିକର ଅଜବ ନିବେଦନ: ଗୁହାରି ନ ଶୁଣିବାରୁ କଲା ଏଭଳି କାଣ୍ଡ

1 min read

ଭୁବନେଶ୍ୱର: ପାଗଳ ପ୍ରେମୀର ଉନ୍ମତ୍ତକାଣ୍ଡ । ଥାନା ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି ଉନ୍ମତ୍ତ ଯୁବକ । ନୂଆପଲ୍ଲୀ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଅଜୟ ଦୋରା(୨୦) । ସେ ନୂଆପଲ୍ଲୀ ନାବାର୍ଡ ବ୍ୟାଙ୍କ ପଛରେ ଥିବା ଗଣପତିନଗର ବସ୍ତିରେ ରହୁଥିଲେ । ପୋଲିସ ସୂଚନା ଅନୁଯାୟୀ, ଅଜୟ ସେହି ବସ୍ତିରେ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ପ୍ରାୟ ବର୍ଷେ ହେବ ସେ ନାବାଳିକାକୁ ସବୁବେଳେ ବାଟଘାଟରେ ଦେଖି ପ୍ରେମ ନିବେଦନ କରୁଥିଲା । ଏପରିକି ନାବାଳିକାଙ୍କ ବାପା-ମା’ଙ୍କୁ ଝିଅ ସହ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଲୋକେ ରାଜି ନଥିଲେ । ବାରମ୍ୱାର ଅଜୟ ଆସି ବିବାହ ପ୍ରସ୍ତାବ ଦେବାରୁ ନାବାଳିକାକୁ ପରିବାର ଲୋକେ ୨ ମାସ ହେବ ରାଜସ୍ଥାନ ପଠାଇ ଦେଇଥିଲେ । ସେବେଠାରୁ ଅଜୟ ପାଗଳପ୍ରାୟ ହୋଇ ବୁଲୁଥିଲେ । ଶେଷରେ ସେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ । ରାଜସ୍ଥାନରୁ ନାବାଳିକାକୁ ଆଣି ମୋ ସହ ବିବାହ କରିଦିଅ ବୋଲି  ଥାନାରେ ଯାଇ ବାରମ୍ୱାର କହୁଥିଲେ । ନିରାଶ ହୋଇ ଗତକାଲି ରାତିରେ ଅଜୟ ପେଟ୍ରୋଲ ଓ ଦିଆସିଲି ଧରି ଥାନାରେ ପଶିଥିଲେ । ସିଧା ଡିସିଓଙ୍କ ଟେବୁଲ ନିକଟରରେ ପହଞ୍ଚି କାହିଁକି ମୋ ମାମଲାରେ ହସ୍ତକ୍ଷେପ କରୁନାହିଁ ବୋଲି କହି ପୁଲିସଙ୍କୁ ଗାଳିଗୁଲଜ କରିଥିଲେ । ଶେଷରେ ଦେହରେ ପେଟ୍ରୋଲ ଢାଳି ଦିଆସିଲି ମାରିବାକୁ ଉଦ୍ୟମ କରୁଥିବା ବେଳେ ଡିସିଓ ଏଏସ୍‌ଆଇ ସୁଧାକର ପାତ୍ର ଓ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ କାବୁ କରି ନେଇଥିଲେ । ତାଙ୍କ ହାତରୁ ପେଟ୍ରୋଲ ବୋତଲ ଓ ଦିଆସିଲି ଛଡ଼ାଇ ନେଇଥିଲେ । ଏ ନେଇ ଏଏସ୍ଆଇ ଶ୍ରୀ ପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଅଜୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ଅଜୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଡେଲିଭରି ବୟ ଆକ୍ରମଣ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ, କାମରାଜ ନୁହେଁ ହିତେଶା କରିଥିଲେ ଆକ୍ରମଣ

Leave a Reply