ଜୋର ଜବରଦସ୍ତ ଦୁଇ ଥର ସୋନାଲିଙ୍କୁ ଡ୍ରଗ୍ସ ପିଆଇଥିଲେ ସୁଧୀର

ପାଣାଜୀ: ବିଜେପି ନେତା ଓ ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ ଅନେକ ରାଜ୍‌ର ଖୁଲାସା ହେଉଛି  । ସୋନାଲିଙ୍କ ପାଖରେ କେମିତି ପହଞ୍ଚିଲା ଡ୍ରଗ୍ସ । ସୋନାଲିଙ୍କୁ କେତେ ଥର ଡ୍ରଗ୍ସ ଦିଆଯାଇଥିଲା, କିଏ ଏହା ପଛରେ ଥିଲା  ଏ ସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ  । ସୋନାଲି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି  । ସେ ସୋନାଲିଙ୍କୁ ଜୋର ଜବରଦସ୍ତ ଡ୍ରଗ୍ସ ପିଆଇ ଥିଲା  । ଏଥିପାଇଁ ସୁଧୀର ଓ ତା ସହଯୋଗୀ ସୁଖୱିନ୍ଦର ୫ ହଜାର ଓ ୭ ହଜାର ଟଙ୍କାର ଡ୍ରଗ୍ସ କିଣିଥିବା ସେ ସ୍ବୀକାର କରିଛି  ।

ଅଗଷ୍ଟ ୨୨ରେ ବିମାନ ଯୋଗେ ସୁଧୀର ସାଙ୍ଗୱାନ ଓ ସୁଖୱିନ୍ଦରଙ୍କ ସହ ଗୋଆରେ ପହଞ୍ଚିଥିଲେ ସୋନାଲି  । ନର୍ଥ ଗୋଆର ଦ ଗ୍ରାଣ୍ଡ ଲିଓନି ରିଜର୍ଟରେ ସେମାନେ ରହିଥିଲେ  । ସନ୍ଧ୍ୟା ବେଳେ ତାଙ୍କୁ ପ୍ରଥମେ ପାଣିରେ ମିଶାଇ ଡ୍ରଗ୍ସ ପିଆଇଥିଲେ ସୁଧୀର  । ଏହାପରେ ରାତି ୧୦ ଟା ସମୟରେ ତିନି ଜଣ କ୍ଲିର୍ସ କ୍ଲବରେ ପହଞ୍ଚିଥିଲେ  ।

ରାତି ପ୍ରାୟ ୧୨ଟା ବେଳେ ପୁଣି ଥରେ ସୋନାଲିଙ୍କୁ ଡ୍ରିଙ୍କ୍‌ସରେ ଡ୍ରଗ୍ସ ମିଶାଇ ପିଇବାକୁ ଦେଇଥିଲେ ସହଯୋଗୀ  । ରାତି ପ୍ରାୟ ସାଢେ ୨ଟା ସମୟରେ ଅସୁସ୍ଥ ଅନୁଭବ କରିଥିଲେ  ସୋନାଲି। ଏହାପରେ ସୁଧୀର ତାଙ୍କୁ ଶୌଚାଳୟ ଭିତରକୁ ନେଇ ଯାଇଥିଲେ  । ଯେଉଁଠାରେ ସୋନାଲି ବାନ୍ତି ମଧ୍ୟ କରିଥିଲେ  । କିନ୍ତୁ ସେଠାରୁ ଆସି ସେ ପୂର୍ବଭଳି ନାଚିବାକୁ ଲାଗିଥିଲେ  । ହେଲେ ଭୋର ୪ଟା ସମୟରେ ସୁଧୀର ତାଙ୍କୁ ପୁଣି ଶୌଚାଳୟ ନେଇ ଯାଇଥିଲେ  ।

କିନ୍ତୁ ସେଠାରୁ ଉଠିବା ପରିସ୍ଥିତିରେ ନଥିଲେ ସୋନାଲି  । ସକାଳ ୬ଟା ସମୟରେ ସୁଧୀର ଓ ସୁଖୱିନ୍ଦରଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କ ସହ ସୋନାଲିଙ୍କୁ ପାର୍କିଂରେ ଦେଖିବାକୁ ମିଳିଥିଲା  । ସେଠାରୁ ତାଙ୍କୁ ରିଜର୍ଟକୁ ଅଣାଯାଇ  ହସ୍ପିଟାଲ ନିଆଯାଇଥିଲା  । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ  ।

ପ୍ରଥମେ ସୋନାଲିଙ୍କ ମୃତ୍ୟୁ ଅପ୍ରାକୃତିକ ଭାବେ ହୋଇଥିବା କୁହାଯାଇଥିଲା  । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଡ୍ରଗ୍ସ ଲିଙ୍କ ସାମନାକୁ ଆସିଥିଲା  ।  ପ୍ରଥମେ ପାଣିରେ ସୁଧୀର ତାଙ୍କୁ ଏମଡି ଡ୍ରଗ୍ସ ଦେଇଥିଲେ  । ଏହାପରେ ପୁଣି ଥରେ ଡ୍ରଗ୍ସ ଦେବାରୁ ଓଭରଡୋଜ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ସୁଧୀର ।