ନନ୍ଦିଘୋଷ ବ୍ୟୁରୋ : ଅଭିଯୁକ୍ତଙ୍କ ମୁହଁରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ମାମଲା । ଆଜି ସରିବ ସମସ୍ତ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡ ଅବଧି । ୩ ଦିନ ରିମାଣ୍ଡରେ ୫ ଅଭିଯୁକ୍ତଙ୍କୁ ଜେରାବେଳେ ପୋଲିସ ହାତରେ ଲାଗିଛି ସାଂଘାତିକ ସୁରାକ । ଗତକାଲି ଅଭିଯୁକ୍ତଙ୍କୁ ନେଇ ସିନ ରି କ୍ରିଏସନ କରାଇଥିଲା ପୋଲିସ । ଅପହରଣ ଠାରୁ ହତ୍ୟା ପର୍ଯ୍ୟନ୍ତ ସମସ୍ତ ଘଟଣା ଗୋଟି ଗୋଟି କରି ବଖାଣିଛନ୍ତି ଅଭିଯୁକ୍ତ । ଗୋପାଳପୁରରୁ ବୁଗୁଡ଼ା ଯାଏଁ ଲମ୍ବିଥିଲା ଅପହରଣ ଓ ହତ୍ଯାର ଏହି ଜଘନ୍ଯ କାଣ୍ଡ । ସୁଧୀର ପାତ୍ରଙ୍କୁ ଅପହରଣ ପରେ ବୁଗୁଡ଼ା ବ୍ଳକ କରଚୁଲି ପଞ୍ଚାୟତର ରାମପାଦ ଜଙ୍ଗଲକୁ ନେଇ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ଅଭିଯୁକ୍ତ । ପ୍ରଥମେ ଗୋପାଳପୁର ପରେ ବୁଗୁଡ଼ା ଥାନା ନିକଟ ଘଂଚ ଜଙ୍ଗଲକୁ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରାଇଥିଲା ପୋଲିସ । କେଉଁଠି ସୁଧୀରଙ୍କୁ ରଖିଥିଲେ, କିଏ କିଏ ମାଡ ମାରିଥିଲେ । କିଏ ଚାଳାଇଥିଲା ଗୁଳି ଏନେଇ ସବିଶେଷ ତଥ୍ୟ ଯୋଗାଡ କରିଛି ପୋଲିସ । ପ୍ରଥମେ ତେଜ ପ୍ରତାପ ସିଂହ, ପରେ ନାରାୟଣ ପ୍ରଧାନ ଓ ଆଶିଷ ମହାପାତ୍ରକୁ କ୍ରାଇମ୍ ସ୍ପଟ୍ କୁ ଆଣି ସିନ ରିକ୍ରିଏସନ କରିଛି ପୋଲିସ୍ । ଅତିରିକ୍ତ ଏସପି ଦୀପକ ଜେନାଙ୍କ ଆଗରେ ସବିଶେଷ ତଥ୍ୟ ଓଗାଳିଛନ୍ତି ଅଭିଯୁକ୍ତ । ତେବେ ଆଶିଷ ଓ ନାରାୟଣ ବୁଗୁଡ଼ା ଅଞ୍ଚଳର । ତେଣୁ ଅନ୍ୟ ଅଭିଯୁକ୍ତଙ୍କୁ ଏହି ଜଙ୍ଗଲ ଜାଗା ବିଷୟରେ ଦୁହେଁ ଜଣାଇଥିବା ବେଳେ ହତ୍ୟା ପରେ ଅଭିଯୁକ୍ତ ମାନେ ବ୍ୟବହୃତ ବନ୍ଧୁକକୁ ବାଘୁଆ ଘାଇରେ ଫୋପାଡ଼ି ଚାଲି ଯାଇଥିଲେ l ବନ୍ଧୁକ ପକାଇଥିବା ସ୍ଥାନକୁ ଅଭିଯୁକ୍ତ ମାନେ ଚହ୍ନଟ କରିଥିବା ବେଳେ ବାଘୁଆ ଘାଇରୁ ବନ୍ଧୁକ ଉଦ୍ଧାର କରିବାକୁ ପୋଲିସ ଉଦ୍ଯମ ଆରମ୍ଭ କରିଛି ।

