spot_img

Latest Posts

ପେଟ୍ରୋଲ ଦରକୁ ନେଇ ସ୍ୱାମୀଙ୍କ ଆକ୍ରମଣ, ରାମଙ୍କ ଭାରତରେ ପେଟ୍ରୋଲ ୯୩, ରାବଣ ଲଙ୍କାରେ ୫୧

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ଆସିବାର ଗୋଟିଏ ଦିନ ପରେ ବିଜେପି ନେତା ସୁବ୍ରମନିଅନ୍ ସ୍ୱାମୀ ନିଜ ଦଳକୁ ନିଶାନାକୁ ନେଇଛନ୍ତି । ଏକ ଟ୍ୱିଟ୍ କରି ସ୍ୱାମୀ କେନ୍ଦ୍ର ସରକାର ଉପରେ ଜୋରଦାର ହମଲା କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରି ସ୍ୱାମୀ ଲେଖିଛନ୍ତି ଯେ, ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା, ସୀତାଙ୍କ ନେପାଳରେ ୫୩ ଟଙ୍କା ଓ ରାବଣର ଲଙ୍କାରେ ୫୧ ଟଙ୍କା।

ସ୍ୱାମୀଙ୍କ ଏହି ଟ୍ୱିଟରୁ ଜଣାପଡୁଛି ଯେ ପେଟ୍ରୋଲ ମୂଲ୍ୟବୃଦ୍ଧିକୁ ନେଇ ସେ ସନ୍ତୁଷ୍ଟ ନାହାନ୍ତି। ଅବଶ୍ୟ ତାଙ୍କୁ ଏହି ଟ୍ୱିଟ୍ ପାଇଁ ଅନେକ ଟ୍ରୋଲ୍ କରାଯାଇଥିଲା। ଅନେକ ଲୋକ ତାଙ୍କୁ ଭୂଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହି ସମାଲୋଚନା କରିଥିଲେ।  ଜଣାଇଦେବାକୁ ଚାହୁଁ ଯେ ଶ୍ରୀଲଙ୍କାରେ ଜାନୁଆରୀ ୨୫ ସୁଦ୍ଧା ପେଟ୍ରୋଲର ମୂଲ୍ୟ ଲିଟର ପିଛା 161 LKR ରେକର୍ଡ଼ କରାଯାଇଥିଲା। ଯାହାକି ଭାରତରେ ପ୍ରାୟ ୬୦.୬୨ ଟଙ୍କା ହେବ। ସେହିପରି ନେପାଳରେ ଜାନୁଆରୀ ୨୫ ସୁଦ୍ଧା ପେଟ୍ରୋଲ ମୂଲ୍ୟ ଲିଟର ପିଛା 110 NPR ରେକର୍ଡ଼ କରାଯାଇଥିଲା। ଭାରତୀୟ ମୁଦ୍ରାରେ ଏହା  ପ୍ରାୟ ୬୮.୮୯ ଟଙ୍କା ହେବ।

ଅନ୍ୟପକ୍ଷରେ ଦେଶର ମେଟ୍ରୋ ସହରରେ ଲଗାତର ୬ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୮୬.୩୦ ପଇସା ଓ ୯୨.୮୬ ପଇସା ରହିଛି । ଅନ୍ୟପକ୍ଷରେ ଡିଜେଲ ଦର ୭୬ ଟଙ୍କା ୪୮ ପଇସା ରହିଛି।

ବିଜେପିରେ ରହି ମଧ୍ୟ ଆଗରୁ ସ୍ୱାମୀ ଅନେକ ଥର ସରକାରକୁ ସମାଲୋଚନା କରିଛନ୍ତି। ବିଶେଷ କରି ମୋଦି ସରକାରଙ୍କ ଅର୍ଥନୈତିକ ନୀତିକୁ ସେ କଟୁ ଭାଷାରେ ସମାଲୋଚନା କରିଥାନ୍ତି। ଆୟକରକୁ ନେଇ ମଧ୍ୟ ସ୍ୱାମୀ ନିଜସ୍ୱ ମତ ରଖନ୍ତି। ତେବେ ସୋମବାର ଦିନ ବଜେଟ୍ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ବୃଦ୍ଧି ହେବ ନାହିଁ। ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦା ହେବନି। କରକୁ ପୁନଃଗଠିତ କରିବାକୁ ସେସ୍ ଲାଗୁ କରାଯାଇଛି। ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ନୂଆ କୃଷି ସେସ୍ ଲାଗୁ କରିଛନ୍ତି। ତେବେ ସ୍ୱାମୀଙ୍କ ଭଳି ଅନେକ ଏହାକୁ ବିଶ୍ୱାସ କରିବା ମୁଡରେ ନାହାନ୍ତି । ସେସ୍ ବାବଦ ଅର୍ଥ ଗ୍ରାହକଙ୍କ ପକେଟରୁ ଯିବ ବୋଲି ଆଶଙ୍କା କରାଯାଉଛି ।

Latest Posts

Don't Miss