କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଏବେ ବି ଅନେକ ଗାଁ ଜଳବନ୍ଦୀ

ବାଲେଶ୍ୱର: ଛାଡ଼ୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେବି ଜମି ରହିଛି ପାଣି । ଏବେବି ଜଳବନ୍ଦୀ ରହିଛି ଅନେକ ଗାଁ । ନଷ୍ଟ ହୋଇଯାଇଛି ହଜାର ହଜାର ହେକ୍ଟର ଜମିର ଫସଲ । ବାଲିଆପାଳ ଅଞ୍ଚଳରେ ସ୍ଥିତି ଏକଦମ ସଂଗୀନ ହୋଇପଡ଼ିଛି । ବନ୍ୟା ପାଣିରେ ଗାଁରେ ମାଡ଼ିଯାଇଛି ପଟୁ ମାଟି । ଘରେ ପଶିଛି କାଦୁଅ । ଭସାଇନେଇଛି ଆସବାବପତ୍ର ଭାଙ୍ଗିଯାଇଛି ଘର ।

ତେବେ ଏହାରି ମଧ୍ୟରେ ପାଣି ଅଳ୍ପ ଛାଡ଼ିବା ପରେ ଆଶ୍ରୟସ୍ଥଳୀରୁ ଘର ମୁହାଁ ହୋଇଛନ୍ତି ଲୋକ । କିଏ ଡଙ୍ଗା ଭିତରୁ ଘରକୁ ଫେରୁଛି ଆଉ କିଏ ବନ୍ଧ ଉପରୁ । ଘରକୁ ଯାଇ ବଢିପାଣିରେ ଭିଜିଥିବା ସମ୍ପତ୍ତିକୁ ସଜାଡ଼ିବାରେ ଲାଗିଛନ୍ତି ବନ୍ୟା ବିପନ୍ନ । ଅନ୍ୟପକ୍ଷରେ ଲୋକମାନଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦେଉଛି ପ୍ରଶାସନ । ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।