ସାଧାରଣତନ୍ତ୍ର ଦିବସରେ ଉଦଘାଟିତ ହେବ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ

ପୁରୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଉଦଘାଟିତ ହେବ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ।  ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୁଆଣ୍ଡୋକୁ ଆକର୍ଷଣୀୟ, ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରାଯାଉଛି ।

ରାଜ୍ୟ ସରକାରଙ୍କ ଦ୍ବାରା ବିକାଶ କାମ ଜାରି ରହିଛି । ଉତ୍କଳମଣିଙ୍କ ଷଠୀଘର ସଂରକ୍ଷଣ ଓ ସଂଗ୍ରହାଳୟ ନିର୍ମାଣ, ଘର ପାଖରେ ଥିବା ପୁଷ୍କରିଣୀର ବିକାଶ କରାଯାଇଛି । ଲୋକନାଥ ଦେବଙ୍କ ରାଧଆ ବିନେଦ ଦେବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଅଭ୍ୟର୍ଥନା କେନ୍ଦ୍ର, ସୂଚନା କେନ୍ଦ୍ର ନିର୍ମାଣ ହୋଇଛି । ଉତ୍କଳମଣୀଙ୍କ ୧୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ଓ ଏହାର ପ୍ଲାଟଫର୍ମ କାର୍ଯ୍ୟ କରାଯାଇଛି । ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଓ ଗ୍ରାମରେ ଭୂତଳ ବିଦ୍ୟୁତ ଯୋଗାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଏହିସବୁ ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶିଳ୍ପୀଙ୍କ ସହିତ ଆଲୋଚନା କରି ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଜାନୁଆରୀ ୨୬ ତାରିଖରେ ଐତହ୍ୟ ପ୍ରକଳ୍ପ ଉଦଘାଟିତ ହେବ । ଏହାଛଡ଼ା ନିର୍ମାଣାଧିନ ଓଡ଼ିଆ ବିଶ୍ବବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନର ଉନ୍ନୟନ କରାଯିବ । ସାକ୍ଷୀଗୋପାଳ ବଜାରରେ ଓଭର ବ୍ରିଜ ନିର୍ମାଣ ସହିତ ମନ୍ଦିର ବାଇପାସ ରାସ୍ତା ସମ୍ପ୍ରସାରଣ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ  ପୁରୀ ଜିଲ୍ଲାପାଳ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।