ସମୁଦ୍ର କୂଳରୁ ଛାତ୍ର ନିଖୋଜ, ଭାସିଯାଇଥିବା ଆଶଙ୍କା

ପାରାଦୀପ: ପାରାଦୀପ ସମୁଦ୍ର କୂଳରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସାଇକେଲ, ସ୍କୁଲ ବ୍ୟାଗ୍, ଆଇକାର୍ଡ ଓ ଡ୍ରେସ ସମୁଦ୍ର କୂଳରେ ଥିବା ବେଳେ ପିଲାଟିର କୌଣସି ସନ୍ଧାନ ମଳୁନାହିଁ । ସ୍କୁଲରୁ ଫେରି ସମୁଦ୍ରରେ ଗାଧୋଉ ଥିବା ବେଳେ ଛାତ୍ର ଜଣଙ୍କ ଭାସି ଯାଇଥିବା ସନ୍ଦେହ କରାଯାଉଛି । ନିଖୋଜ ଛାତ୍ର ହେଲେ ଭଞ୍ଜକଲୋନୀର ପ୍ରୀତମ ଦାସ ।

ଅଭିଯୋଗ ଅନୁସାରେ, ସବୁଦିନ ପରି ପ୍ରୀତମ ଆଜି ବି ସ୍କୁଲ ଯାଇଥିଲେ । ସକାଳ ୯ଟାରେ ସ୍କୁଲ ଛୁଟି ହେବା ପରେ ସେ ତାଙ୍କ ସାଇକେଲ ଧରି ଘରକୁ ଫେରିଥିଲେ । ହେଲେ, ସେ ଘରେ ପହଞ୍ଚି ନଥିଲେ । ପୁଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏହି ସମୟରେ ସମୁଦ୍ର କୂଳରେ ତାଙ୍କ ସାଇକେଲ ଥୁଆ ହୋଇଥିବା ଓ ସ୍କୁଲ ବ୍ୟାଗ, ପ୍ୟାଣ୍ଟ ଏବଂ ଆଇକାର୍ଡ ସାଇକେଲ ପାଖରେ ଥିବା ଜାଣିବାକୁ ପାଇ ସେଠାରେ ପହଞ୍ଚି ଥିଲେ । ଏହାପରେ ପ୍ରୀତମ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଉଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷେ ପ୍ରୀତମ ସ୍କୁଲରୁ ଦୁଇ ଜଣ ସାଙ୍ଗଙ୍କ ସହ ବାହାରି ଥିବା ଶୁଣିବାକୁ ମିଳୁଛି । ତେବେ ସେ ଆସିଥିବା ସାଙ୍ଗମାନେ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ତାଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ପ୍ରୀତମଙ୍କ ସମ୍ପର୍କରେ ଜଣାପଡିବ ବୋଲି ଆଶା କରାଯାଉଛି ।