‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ; ୨୦୦ ଟାବଲେଟ୍ ପ୍ରଦାନ କଲେ ସାଂସଦ ଅମର ପଟ୍ଟନାୟକ

1 min read

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସମ୍ପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ବର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥାନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା, ପିଲାମାନଙ୍କ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

‘ଛାତ୍ର ପ୍ରୋତ୍ସାହନ ଯୋଜନା’ ଦ୍ୱାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏକ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ । ଏହି ଅବସରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ନିମନ୍ତେ ମନୋନୀତ କୋଚିଂ ଏଜେନ୍ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏଜେନ୍ସିଗୁଡ଼ିକ ପ୍ରତ୍ୟକ୍ଷ ଭାବେ (on-site) ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ ।

ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବଲେଟ୍ ପ୍ରଦାନ କରିଥିଲେ । ଟାବଲେଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଜିଟାଲ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସେମାନେ ଦେଶ ଓ ଦେଶ ବାହାରୁ ବିଷୟ ସମ୍ପର୍କିତ ତଥ୍ୟ ଓ ସମ୍ୱଳ ଏବଂ ଅନ୍ୟାନ୍ୟ ପାଠ୍ୟସାମଗ୍ରୀ ଆହରଣ କରିପାରିବେ । ଚଳିତ ବର୍ଷର ମନୋନୀତ ଛାତ୍ରଛାତ୍ରୀମାନେ ୨୦୨୩ ବର୍ଷର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବେ ।

Leave a Reply