ଫେଲ୍ ମାରିଛି ଗ୍ରାମ୍ୟ ଆଲୋକୀକରଣ ବ୍ୟବସ୍ଥା: ଘରୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି ମହିଳା

ବରୀ: ଅଚଳ ହୋଇପଡିଛି ଷ୍ଟ୍ରିଟ ଲାଇଟ । ସଞ୍ଜ ନଇଁବା କ୍ଷଣି ଡରାଉଛି ଅନ୍ଧାର । ଘରୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି ମହିଳା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରୀ ବ୍ଲକରେ । ବରୀ ବ୍ଲକର ବିଭିନ୍ନ ପଞ୍ଚୟତର ଗାଁ ଦାଣ୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡି ଏବେ ଅଚଳ ହୋଇପଡିଛି । ଏପରିକି ବରୀର ମୁଖ୍ୟ ବଜାର ବରୀ ମାଉଣ୍ଡରେ ଲାଗିଥିବା ହାଇମାସ୍ଟ ଲାଇଟର ଅବସ୍ଥା ବି ଶୋଚନୀୟ ହୋଇପଡିଛି । ଯାହାର ସୁଯୋଗ ନେଇ ଅନ୍ଧାର ହେବା କ୍ଷଣି ବଜାରରେ ଅସମାଜିକ ବ୍ୟକ୍ତିମାନେ ଆଡା ଜମାଉଛନ୍ତି । ରାତିରେ ଚୋରି ବୃଦ୍ଧି ପାଉଛି । ଫଳରେ ସ୍ଥାନୀୟ ମହିଳାମାନେ ବଜାରକୁ ଆସିବାକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହୋଇଛି ।
ପୂର୍ବ ସରକାରଙ୍କ ସମୟରେ ଅରଙ୍ଗାବାଦ୍ ଛତର ନିକଟରୁ ବାଲିବିଲି ଗାନ୍ଧୀ ଛକ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାରେ ଲାଗିଥିଲା ଷ୍ଟ୍ରିଟ ଲାଇଟ । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ରୂପେ ଅକାମୀ ହୋଇ ପଡ଼ିଛି । ଠିକାଦାର ମାନେ ନିମ୍ନମାନର ଲାଇଟ ଲଗାଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମ୍ୟ ଆଲୋକୀକରଣ ନିମନ୍ତେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅଚଳ ହେଲେ ଅଚଳ ଲାଇଟର ତାଲିକା ପଞ୍ଚାୟତ ତରଫରୁ ବ୍ଲକ ପ୍ରଶାସନକୁ ଅବଗତ କରାଯିବା କଥା । ମାତ୍ର କେଉଁ ପଞ୍ଚାୟତର କେତେ ଷ୍ଟ୍ରିଟ ଲାଇଟ୍ ଅଚଳ ହୋଇପଡିଛି ତାହାର ତାଲିକା ବ୍ଲକ ପ୍ରଶାସନ ନିକଟରେ ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଆଲୋକୀକରଣ ଉପରେ ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।