ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ଆସିଥିବା କାଳବୈଶାଖୀର ପ୍ରଭାବ ଏବେ ବି ଅନେକ ଅଞ୍ଚଳକୁ ଛିନଛତ୍ର କରି ରଖିଛି। ଝଡ଼-ତୋଫାନ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଧିମା ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
କାଳବୈଶାଖୀ ଯୋଗୁଁ ସହରର ଅନେକ ପ୍ରମୁଖ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଲାଇନ ଆସିନାହିଁ।
ଗୋଟିଏ ପଟେ ଅସହ୍ୟ ଖରା ଓ ଅନ୍ୟପଟେ ରାତିର ଗୁଳଗୁଳି ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିନା ବିଦ୍ୟୁତରେ ଗତକାଲି ରାତି ସାରା ରାଜଧାନୀବାସୀ ବହୁ କଷ୍ଟରେ ଅନିଦ୍ରା ହୋଇ ସମୟ ବିତାଇଛନ୍ତି।
କାଳବୈଶାଖୀ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଏବଂ ଡାଳପତ୍ର ଭାଙ୍ଗି ପଡ଼ି ରହିଥିବାବେଳେ ସେଗୁଡ଼ିକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।
ସାଇନ୍ସ ପାର୍କ ବସ୍ତିର ସ୍ଥିତି ସବୁଠୁ ଖରାପ: ବିଶେଷ କରି ଭୁବନେଶ୍ୱରର ସାଇନ୍ସ ପାର୍କ ବସ୍ତି ଅଞ୍ଚଳରେ ଅବସ୍ଥା ସଂଗୀନ ହୋଇପଡ଼ିଛି। ସେଠାରେ ନା ଅଛି ବିଦ୍ୟୁତ, ନା ରାସ୍ତା ସଫା ହୋଇଛି। ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ସହାୟତାକୁ ଚାହିଁ ବସିଛନ୍ତି।
ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଳବୈଶାଖୀ ଆସିବାର ୨୪ ଘଣ୍ଟା ପରେ ବି ସ୍ଥିତି ସ୍ୱାଭାବିକ ନହେବା ପ୍ରଶାସନର ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଦ୍ୟୁତ ବିଭାଗ ଓ ପୌରପାଳିକା କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସେବା ସ୍ୱାଭାବିକ କରିବାକୁ ଦାବି ହେଉଛି।

