ଟଳିନି ବାତ୍ୟା ବିପତ୍ତି: ଆଜି ଦିନ ସାରା ଘାଣ୍ଟିବ ‘ଦାନା’

ଭୁବନେଶ୍ବର: ଚାଲିଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆହୁରି ପ୍ରାଏ ଘଣ୍ଟାଏ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ‘ଦାନା’ର ପ୍ରକୋପ କମିଯିବ ବୋଲି ଯଦି ଆଶା କରୁଛନ୍ତି ତେବେ ଭୁଲ । ଆଜି ଦିନସାରା ଘାଣ୍ଟିବ ବାତ୍ଯା ଦାନା । କାରଣ ବଡ଼କଥା ହେଲା ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହୋଇନାହିଁ । ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରୁଛି ବାତ୍ଯା ।

ମଧ୍ଯାହ୍ନରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି କ୍ରମଶଃ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଧାମରା ନିକଟରେ ପ୍ରବେଶ କରିବା ପରେ ଯାଜପୁର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶୁଛି । ଫଳରେ ୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେଉଛି ।

ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳର କେତେକ ସ୍ଥାନରେ ୨୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ ।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୟାଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରରେ ପ୍ରବଳରୁ ଅତିପ୍ରବଳ ଏବଂ ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୁରୀ, ଧାମରା, ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ଗ୍ରେଟ୍ ଡେଞ୍ଜର ସିଗ୍ନାଲ୍ ନମ୍ବର ଜାରି ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜି ପାରେ । ରାଜ୍ୟର ୧୬ ଜିଲ୍ଲା ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼ ଓ ପୁରୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ।