ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି, ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣରେ ଆଶ୍ୱସ୍ତି ଆଭ୍ୟନ୍ତରୀଣରେ ପ୍ରବଳ ତାତି । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ସାମାନ୍ୟ ମୁକ୍ତି ମିଳିବ । କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ ଶୁଷ୍କ ବାୟୁ ଓ ନିର୍ମଳ ଆକାଶ ପାଇଁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ । ବଙ୍ଗୋପସାଗରରୁ ଉପକୂଳ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ । କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ସେପଟେ ଆଜି ଆଣ୍ଡାମାନ ସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଲଘୁଚାପର ପ୍ରଭାବ କେତେ ପଡ଼ିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି ।