ରାଜଧାନୀରୁ ପୁରପଲ୍ଲୀ, ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆଜି ସର୍ବତ୍ର ଶୁଭିଛି ବନ୍ଦେ ଉତ୍କଳ ଜନନୀ । ଏକ ସମୟରେ, ଏକ ସ୍ବରରେ ଝଙ୍କୃତ ହୋଇଛି ଓଡ଼ିଆଙ୍କୁ ଚିର ଉଦବୁଦ୍ଧ କରୁଥିବା ପ୍ରାଣସ୍ପର୍ଶୀ ସଂଗୀତ । ଭାଷା ସମ୍ମିଳନୀ ସ୍ଥାନଠାରୁ ଆରମ୍ଭ କରି ପୁରପଲ୍ଲୀର ବିଭିନ୍ନ ଅନୁଷ୍ଠାନ, ସ୍କୁଲ କଲେଜ ଓ ଅଫିସରେ ନିର୍ଦ୍ଦିଷ୍ଟ ସମୟରେ କୋଟି କଣ୍ଠରେ ଶୁଭିଥିଲା ବନ୍ଦେ ଉତ୍କଳ ଜନନୀ । ସୃଷ୍ଟି ହୋଇଥିଲା ଓଡ଼ିଆ ଅସ୍ମିତାର ଅଭୂତପୂର୍ବ ପରିବେଶ ।

ସମୟ ସକାଳ ୧୧ଟା । ଏକତାନରେ ଏକ ସମୟରେ ବିଭିନ୍ନ ସ୍ଥାନରୁ ଶୁଭିଥିଲା ଗୋଟିଏ ସ୍ବର, ଗୋଟିଏ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ । ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ପୁରପଲ୍ଲୀରେ ସମୂହ ଗାନ କରାଯାଇଥିଲା । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସ୍ଥାନରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ଅତିଥିମାନେ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ । ଓଡ଼ିଆ ଜାତି ପାଇଁ, ଓଡ଼ିଆ ଭାଷା ପାଇଁ ସମସ୍ତେ ସ୍ବର ମିଳାଇଥିଲେ ।

କଟକ, ଭୁବନେଶ୍ବର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ସମେତ ସବୁ ଜିଲ୍ଲା ସଦର ମହକୁମା, ପୌରାଞ୍ଚଳରେ ସମୂହ ଭାବେ ଏହି କାଳଜୟୀ ସଂଗୀତ ଗାନ କରାଯାଇଥିଲା । ଓଡ଼ିଆ ଭାଷାକୁ ସମୃଦ୍ଧ କରି ଥିବା ମହାନ ବରପୁତ୍ରମାନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭୁବନେଶ୍ବର କିସ ପରିସରରେ ୪୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ସମୂହ ଗାନ ଥିଲା ବେଶ୍ ଆକର୍ଷଣୀୟ ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଦେଶରୁ ବି ଶୁଭିଛି ବନ୍ଦେ ଉତ୍କଳ ଜନନୀ । ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳିକା କତର ତରଫରୁ କତରସ୍ଥିତ ଇଣ୍ଡିଆନ କଲଚରାଲ ସେଣ୍ଟରରେ ଏହାର ସଭାପତି ଡାକ୍ତର ବସନ୍ତ କୁମାର କବିଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ଆଯୋଜନ କରାଯାଇଥିଲା ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ପ୍ରସିଦ୍ଧ କବିତା ବନ୍ଦେ ଉତ୍କଳ ଜନନୀ  ୧୯୧୨ରେ ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା । ୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ହୋଇଥିଲା ରାଜ୍ଯଗାନ । ୨୦୨୦ ଜୁନ ୭ରେ ସରକାର ଦେଇଥିଲେ ରାଜ୍ୟ ସଙ୍ଗୀତ ମାନ୍ୟତା । ସାରା ରାଜ୍ଯରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଝଙ୍କାର ଆଜି ସୃଷ୍ଟି କରିଥିଲା ଜାତିପ୍ରେମର ଉନ୍ମାଦନା ।