ରାଜ୍ୟରେ ଲଗାଣ ବର୍ଷା ପରେ ବି ବିପଦ ସଂକେତ ତଳେ ରହିଛି ନଦୀ ଜଳସ୍ତର

ରାଜ୍ୟରେ ଲଗାଣ ବର୍ଷା ଜାରି । ହେଲେ ବିପଦ ସଂକେତ ତଳେ ରହିଛି ସମସ୍ତ ନଦୀର ଜଳସ୍ତର । ମହାନଦୀ ଉପରମୁଣ୍ଡ ଓ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବଂଶଧାରା ବେସିନରେ ଅଧିକ ବର୍ଷା ହୋଇନାହିଁ । ୮ଟି ବୃହତ ଜଳଭଣ୍ଡାରରୁ ହୀରାକୁଦ ଓ ରେଙ୍ଗାଲିକୁ ଛାଡ଼ି ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତ ଖାଲି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଦଶମିକ ୩୭ ଫୁଟରେ ପହଞ୍ଚିଛି ଜଳସ୍ତର । ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ଥିବା ବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୯୩ ହଜାର ୧୧୬ ଘନଫୁଟ ବନ୍ୟାଜଳ । ହେଲେ ସମସ୍ତ ଗେଟ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି ।

ବ୍ରାହ୍ମଣୀ, ଜଳକା, ବୈତରଣୀରେ ଜଳସ୍ତର ବଢୁଥିଲେ ବି ଜଳସ୍ତର ବିପଦସଙ୍କେତ ତଳେ ଅଛି । ସବୁ ସ୍ଥାନରେ ଜଳସମ୍ପଦ ଅଧିକାରୀ ସଜାଗ ଅଛନ୍ତି ।୨୦ଟି ସମ୍ବେଦନଶୀଳ ସ୍ଥାନରେ ନଜର ରଖାଯାଇଛି । ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି । ପ୍ରମୁଖ ନଦୀର ଜଳସ୍ତର, ଜଳଭଣ୍ଡାର ସ୍ଥିତି ଏବଂ ଜଳ ନିଷ୍କାସନ ପରିମାଣ ସହିତ ବର୍ଷା ପରିମାଣ ଜାଣିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ହାଇଡ଼୍ରୋମେଟ୍ ନାମକ ଏକ ମୋବାଇଲ୍ ଆପ୍ ଆାରମ୍ଭ କରାଯାଇଛି । ଏହି ଆପ୍ ଏବେ ଆଣ୍ଡ୍ରଏଡ଼୍ ପ୍ଲାଟଫର୍ମରେ ଉପଲବ୍ଧ ଥିବା ବେଳେ ଖୁବ୍ ଶୀଘ୍ର ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

Leave a Reply