ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କର ଘୋଷଣା, ଅଗଷ୍ଟ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ

1 min read
State Govt to Collect Paddy from 1st Aug

ଭୁବନେଶ୍ୱର: ସର୍ବନିମ୍ନ ସହାୟକ ମୂଲ୍ୟରେ ଚଳିତ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯିବ । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥିସହିତ ଚାଷୀମାନଙ୍କର ଏକ ନିର୍ଭୁଲ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯିବା ପରିପ୍ରେକ୍ଷୀରେ ବିଭାଗୀୟ ସଚିବ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରାଯିବ । ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ତାରିଖ ମଧ୍ୟରେ ଚାଷୀମାନଙ୍କ ନିକଟରୁ ଆବେଦନପତ୍ର ଗ୍ରହଣ କରାଯିବ । ଇଚ୍ଛୁକ ଚାଷୀମାନେ ନିର୍ଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମସ୍ତ ତଥ୍ୟ ସହ ନିକଟସ୍ଥ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍‌‌ସ/ ଲ୍ୟାମ୍ପସ୍‌‌/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ ପାଣି ପଞ୍ଚାୟତରେ ଦାଖଲ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଏବଂ ନୂତନ ନାମ ପଞ୍ଜିକରଣ ଫର୍ମ ଚାଷୀମାନଙ୍କ ନିମନ୍ତେ ପ୍ୟାକ୍‌‌ସ/ଲ୍ୟାମ୍ପସ୍‌‌ ଆଦିରେ ଉପଲବ୍ଧ ହେବ । ଯେଉଁମାନେ ଗତବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ କେବଳ ନାମ ନବୀକରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନକରିବାକୁ ପଡ଼ିବ । ନବୀକରଣ ସମୟରେ ଜମି ବାବଦ ତଥ୍ୟାବଳୀ ଦେବା ପାଇଁ ମଧ୍ୟ ସୁଯୋଗ ଦିଆଯିବ ।

ନୂତନ ଭାବେ ନାମ ପଞ୍ଜିକରଣ କରୁଥିବା ଚାଷୀମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହିତ ଏଥିରେ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ନମ୍ବର, ମୋବାଇଲ ନମ୍ବର ଆଦି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡ଼ିବ । ଭାଗଚାଷୀଙ୍କ ଦ୍ୱାରା ଧାନ ବିକ୍ରି ନିମନ୍ତେ ଜମି ମାଲିକଙ୍କ ସମ୍ମତି ପତ୍ର ଆବଶ୍ୟକ ହେବ । ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ସମସ୍ତ ଆବେଦନପତ୍ର ଗ୍ରହଣ କରାଯିବ । ଗ୍ରହଣ ହୋଇଥିବା ଆବେଦନ ପତ୍ରଗୁଡ଼ିକ ଅଗଷ୍ଟ ୧ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଡିଜିଟାଇଜେସନ କରାଯିବ ।

ଅଗଷ୍ଟ ୫ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ସମସ୍ତ ଆବେଦନପତ୍ର ଯାଞ୍ଚ କରାଯିବ । ପଞ୍ଜୀକୃତ ଚାଷୀମାନଙ୍କର ନାମ ଏବଂ ସେମାନଙ୍କର ଚାଷଜମି ବାବଦ ତଥ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୋସାଇଟି କାର୍ଯ୍ୟାଳୟ, ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶନ କରାଯିବ । ତାଲିକାରେ ଯେଉଁ ଚାଷୀମାନଙ୍କର ଆପତ୍ତି ଅଭିଯୋଗ ଥିବ, ସେମାନେ ଅଗଷ୍ଟ ୧୦ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ସଂପୃକ୍ତ ସମିତି କାର୍ଯ୍ୟାଳୟ, ସୁଲଭ ମୂଲ୍ୟ ଦୋକାନ କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଦାଖଲ କରି ପାରିବେ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସହ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ ଧାନ ସଂଗ୍ରହ ବର୍ଷ ୨୦୨୦-୨୧ ପାଇଁ ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ ।

Leave a Reply