ପୁଣି ଥରେ ଓଡ଼ିଶା ଷ୍ଟାର୍ଟଅପଙ୍କ ଜୟଯାତ୍ରା, ସ୍ମାର୍ଟ୍ ସିଟି ପାଇଁ ସ୍ମାର୍ଟ ସଲ୍ୟୁସନ୍

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଓଡ଼ିଶା ଷ୍ଟାର୍ଟଅପଙ୍କ ଜୟଯାତ୍ରା । ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ୪ଟି ଷ୍ଟାର୍ଟ ଅପଙ୍କୁ ଘରୋଇ ବ୍ୟାଙ୍କ ପ୍ରଦାନ କରିଛି ଆର୍ଥିକ ଅନୁଦାନ । ସ୍ମାର୍ଟ ସିଟି ପାଇଁ ସବୁଜ ସମାଧାନ ଯୋଗାଇବା ଲକ୍ଷ୍ୟରେ କାମ କରୁଛନ୍ତି ଏସବୁ ଷ୍ଟାର୍ଟ ଅପ । ସେମାନଙ୍କୁ ଗ୍ରାଣ୍ଟ-ଇନ୍-ଏଡ୍ ବାବଦରେ ମିଳିଛି ୩୦ ଲକ୍ଷ ଟଙ୍କା । ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ ନୀତି, ଇନ୍କ୍ୟୁବେଟର୍ ସୁବିଧା ରାଜ୍ୟରେ ଷ୍ଟାର୍ଟ ଅପଙ୍କୁ ପ୍ରୋତ୍ସାହିତ କରୁଥିବା କହିଛନ୍ତି ବ୍ୟାଙ୍କର୍ସ ଓ ଷ୍ଟାର୍ଟ ଅପ ଉଦ୍ୟୋଗୀ ।

ଇ-ଓ୍ବେଷ୍ଟ ହେଉ କି କଠିନ ଆବର୍ଜନା । ସ୍ମାର୍ଟ୍ ସିଟି ପାଇଁ ସ୍ମାର୍ଟ ସଲ୍ୟୁସନ୍ । ଇ-ପରିବହନ  ଯୋଗେ ଆବର୍ଜନା ପରିଚାଳନା କରିବେ ଷ୍ଟାର୍ଟ ଅପ । ଇନ୍କ୍ୟୁବେଟର୍ଙ୍କ ଦ୍ବାରା ଚୟନ ହୋଇଥିବା ଓଡ଼ିଶାର ୪ଟି ଷ୍ଟାର୍ଟ ଅପଙ୍କୁ ସିଏସ୍ଆର୍ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ଘରୋଇ ବ୍ୟାଙ୍କ । ଉଦ୍ଦେଶ୍ୟ ହେଉଛି ପରିବେଶରୁ ପ୍ରଦୂଷଣ ହ୍ରାସ ପାଇଁ ନୂଆ ଉତ୍ପାଦନ ଓ ସେବା ପ୍ରଦାନ କରୁଥିବା ଷ୍ଟାର୍ଟ ଅପଗୁଡ଼ିକୁ ସହଯୋଗ କରିବା । ଏଥିପାଇଁ ଆବେଦନ କରିଥିବା ୭୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ଶୀର୍ଷ ୧୦ଟି ଷ୍ଟାର୍ଟ ଅପକୁ ଚୟନ କରାଯାଇଥିଲା । ଏସବୁ ଷ୍ଟାର୍ଟ ଅପଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସହିତ ସେମାନଙ୍କ ପାଇଁ ଆଞ୍ଜେଲ ଇନ୍ଭେଷ୍ଟର୍ସ ସୁବିଧା ବି ଯୋଗାଇ ଦିଆଯାଇଛି ।

ଆର୍ଥିକ ଅନୁଦାନ ପାଇବାରେ ନମ୍ବର ଓ୍ବାନ ହୋଇଛନ୍ତି ଶିବା ଗ୍ରିନ୍ ସଲ୍ୟୁସନ୍ ଦ୍ବାରା ଯୋଗାଇ ଦିଆଯାଉଥିବା ରିଇସାକେଲ୍ ପେ । ରିସାଇକେଲ୍ ପେ ଆପ୍କୁ ମୋବାଇଲ ପ୍ଲେ ଷ୍ଟୋରରୁ ଡାଉନ୍ଲୋଡ କରି ଜଣେ ବ୍ୟକ୍ତି ତାଙ୍କ ଘରେ ଥିବା ଶୁଖିଲା ଏବଂ ଓଦା ଆବର୍ଜନା ବିକ୍ରି କରିପାରିବେ । ଏହାସହିତ ଇ-ଓ୍ବେଷ୍ଟ୍କୁ ଏହି ଷ୍ଟାର୍ଟ ଅପକୁ ବିକ୍ରି କରିହେବ । ବଜାର ଦର ଅନୁଯାୟୀ ଏହି ସଂସ୍ଥା ଲୋକଙ୍କଠାରୁ ପୁରୁଣା ଖବରକାଗଜ, ଅବ୍ୟବହୃତ ବୈଦ୍ଯୁତିକ ସାମଗ୍ରୀ ସଂଗ୍ରହ କରୁଛି । ରାଜ୍ୟରେ ଷ୍ଟାର୍ଟ ଅପ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେପରି ସ୍ବତନ୍ତ୍ର ନୀତି ପ୍ରଚଳନ କରିଛନ୍ତି ତାକୁ ଭୂୟସୀ ପ୍ରଶଂସା କରିଛନ୍ତି ଷ୍ଟାର୍ଟ ଅପ ଉଦ୍ୟୋଗୀ ।

ରାଜ୍ୟରେ ଷ୍ଟାର୍ଟ ଅପ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବଢୁଛି ଆଗ୍ରହ । ସରକାରୀ ସ୍ତରରେ ନୂଆ ନୂଆ ଆଇଡିଆ ସଂଗ୍ରହ କରାଯାଉଛି । ଓଡ଼ିଶା ଷ୍ଟାର୍ଟ ଅପଙ୍କ ଉତ୍ପାଦକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ମିଳିଛି । ଏବେ ସ୍କୁଲ ଛାତ୍ରଛାତ୍ରୀ ଓ କଲେଜ ପିଲାଙ୍କ ଭିତରେ ଷ୍ଟାର୍ଟ ଅପ୍ ପାଇଁ ନୂଆ ଚିନ୍ତା କରିବାକୁ ବଢୁଛି ଆଗ୍ରହ ।