୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭଦ୍ରକ : ଭଦ୍ରକକୁ ଫେରୁଛି ଶାନ୍ତି । ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଗତକାଲି ମଧ୍ଯରାତ୍ରୀରୁ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରାଯାଇଛି । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ଯକୁ ନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଭଦ୍ରକ ଚନ୍ଦନବଜାର, ସନ୍ଥିଆ, ପୁରୁଣାବଜାର ସମେତ ଧାମନଗର ଓ ଦୋବଲରେ ୨ ଗୋଷ୍ଠୀଙ୍କ ମଧ୍ଯରେ ବିବାଦ ଯୋଗୁ ହିଂସା ଦେଖାଦେଇଥିଲା । ଏବେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ଟି ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହିତ ଘନଘନ ଫ୍ଲାଗମାର୍ଚ୍ଚ କରାଯାଉଛି । ଭଦ୍ରକର ସନ୍ଥିଆ, ଚନ୍ଦନବଜାର, ପୁରୁଣାବଜାର ଓ ଧାମନଗର, ଦୋବଲରେ ୧୬୩ ଧାରା ବଳବତ୍ତର ରହିଛି । ସୋମବାରଠୁ ଧାମନଗର ଓ ଦୋବଲରେ ୧୬୩ ଧାରା ସାମାନ୍ଯ କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ବି ୨ରୁ ଅଧିକ ଲୋକ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସଭା କିମ୍ବା ରାଲି ଉପରେ କଟକଣା ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରାଯାଇଛି । ପୋଲସ ଡିଜି ୱାଇବି ଖୁରାନିଆ ଧାମନଗର ଓ ଭଦ୍ରକ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ବାଭାବିକ ସ୍ଥିତି ଫେରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିବ । ତେବେ ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।