ଆଜି ପାଟନାରେ ବିରୋଧୀଙ୍କ ମେଗାମେଳି, ଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ

ପାଟନା: ୨୦୨୪ ଲାଗି ଫୋକସ । ଆଜି ପାଟନାରେ  ବିରୋଧୀଙ୍କ ମେଗାମେଳି । ଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ବେଳେ ବିଭିନ୍ନ ଏଜେନ୍ସିର ଦୁରୂପଯୋଗ କରାଯାଇ ବିରୋଧୀ ଦଳର ନେତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି । ଦେଶରେ ସମ୍ବିଧାନ ଓ ଗଣତନ୍ତ୍ରର ରକ୍ଷା ପାଇଁ ବିରୋଧୀ ଏକ ହେବେ ବୋଲି କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି । ନୀତୀଶ କୁମାରଙ୍କ ନେତୃତ୍ବରେ ବିଜେପି ବିରୋଧୀ ଦଳଗୁଡ଼ିକ ଗୋଟିଏ ମଞ୍ଚରେ ଏକାଠି ହେବେ । ବିଜେପି ସରକାର ଅମଳରେ ଦେଶରେ ବେରୋଜଗାରୀ, ଦରବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ବେଷ ଭାବ ବଢ଼ିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମୁଦ୍ଦା ଓ ବିଜେପି ବିରୋଧରେ ଏଜେଣ୍ଡା ପ୍ରସ୍ତୁତ କରାଯିବ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି । ସମ୍ମିଳନୀରେ ଯୋଗଦେବା ଲାଗି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରମୁଖ ପାଟନାରେ ପହଞ୍ଚିଥିବା ସୂଚନା ମିଳିଛି ।

ଏହି ସମ୍ମିଳନୀରେ ଜାତିଭିତ୍ତିକ ଜନଗଣନା ଉପରେ ଗୁରୁତ୍ବ ଦିଆଯିବା ସମ୍ଭାବନା ରହିଛି । କର୍ଣ୍ଣାଟକରେ ୭୫ ପ୍ରତିଶତ ସଂରକ୍ଷଣ ଲାଗି କଂଗ୍ରେସ ପ୍ରତିଶ୍ରୁତି ଦେଇଥିବାରୁ ଜାତୀୟ ସ୍ତରରେ ଏହାକୁ ନେଇ କଂଗ୍ରେସ ଜାତି କାର୍ଡ ଉପରେ ଗୁରୁତ୍ବ ଦେବା ଆଶା ରହିଛି । ମହାମେଳିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ ସାମିଲ ହେବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି । ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି ।