ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଯାତନା ସହି ନପାରି ଷ୍ଟାଫ୍ ନର୍ସ ହାରିଲେ ଜୀବନ !

ପାରାଦୀପ: ପାରାଦ୍ବୀପ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ମାନସିକ ଓ ଶାରିରୀକ ନିର୍ଯାତନା ଯୋଗୁଁ ଜଣେ ଷ୍ଟାଫ୍ ନର୍ସଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏନେଇ  ବନ୍ଦର ଚିକିତ୍ସାଳୟ ସମ୍ମୁଖରେ ମୃତକ ଷ୍ଟାଫ୍ ନର୍ସ ନିବେଦିତା ଜେନାଙ୍କ ଶବ ରଖି ଧାରଣା ଦେଇଥିଲେ ପରିବାର ଓ ସ୍ଥାନୀୟ ଲୋକ ।

ଅଭିଯୋଗ ଅନୁସାରେ ଗତ ୨୦୨୧ ମସିହା ଅଗଷ୍ଟ ୧୯ ତାରିଖରେ ଜଣେ ନର୍ସଙ୍କୁ ଡାକ୍ତରଖାନାର ଜଣେ ଡାକ୍ତର ଅସଦାଚରଣ କରୁଥିବାର ଦେଖିଥିଲେ ନିବେଦିତା । ଘଟଣାକୁ ନେଇ ସମ୍ପୃକ୍ତ ନର୍ସ ଥାନାର ଦ୍ବାରସ୍ଥ ହୋଇଥିଲେ, କିଛି ନର୍ସ ମଧ୍ୟ ଡାକ୍ତରଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ । ସେହିଦିନଠାରୁ ସାକ୍ଷୀ ଦେଇଥିବା ନର୍ସମାନଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ପ୍ରହ୍ଲାଦ ପଣ୍ଡା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏ ସମ୍ପର୍କରେ ନିବେଦିତା ରାଜ୍ୟ ମହିଳା କମିଶନ ଏବଂ ଜଗତସିଂହପୁର ଏସପିଙ୍କୁ ଲିଖିତ ଜଣାଇ ନିଜର ଓ ଚାକିରିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ ମୁଖ୍ୟ ଚିକିତ୍ସାଧିକାରୀ ।

ଗୁରୁବାର ରାତି ଡ୍ୟୁଟିରେ ଥିବା ନିବେଦିତା ୧୦ ମିନିଟ୍ ପାଇଁ ବାଥରୁମକୁ ଯାଇଥିଲେ ମଧ୍ୟ ମୁଖ୍ୟ ଚିକିତ୍ସାଧିକାରୀ କାରଣ ଦର୍ଶାଅ ନୋଟିସ ମାଗିଥିଲେ । ଶନିବାର ଦିନ କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ନିବେଦିତା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେବାକୁ ଯାଇଥିଲେ। ମାତ୍ର ମୁଖ୍ୟ ଚିକିତ୍ସାଧିକାରୀ ନିବେଦିତାଙ୍କ ଲିଖିତ ଉତ୍ତରକୁ ଗ୍ରହଣ ନକରି ତାଙ୍କୁ ଚାପୁଡ଼ା ମାରିଥିଲେ । ଫଳରେ ନିବେଦିତା ଚେତା ହରାଇଥିଲେ।  ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଯାହାକୁ ନେଇ ନିବେଦିତାଙ୍କ ପରିବାର ଓ କଲୋନୀର ବହୁ ମହିଳା ପୁରୁଷ ବନ୍ଦର ଚିକିତ୍ସାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ।

ଘଟଣାସ୍ଥଳରେ ଶ୍ରମିକ ନେତା ବାପି ସର୍ଖେଲ ପହଞ୍ଚି ବନ୍ଦର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ନିବେଦିତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି, ଅଭିଯୁକ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରହ୍ଲାଦ ପଣ୍ଡା ଓ ଡାକ୍ତର ବାଦଲ ସିଂକୁ କାର୍ଯ୍ୟରୁ ନିଲମ୍ବନ, ନିବେଦିତାଙ୍କ ଝିଅର ପାଠପଢା ଖର୍ଚ୍ଚ ବହନ କରିବାକୁ ବନ୍ଦର କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ପରେ ପାରାଦ୍ଵୀପ ଏଏସପି ପହଞ୍ଚି ଲୋକଙ୍କୁ ବୁଝାସାଝା କରିବା ପରେ ଧାରଣା ହଟିଛି ।