ଏସିଆ କପରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା: ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

1 min read

ଦୁବାଇ: କର ବା ମର ସ୍ଥିତିରେ ଭାରତୀୟ କ୍ରିକେଟ ଟିମ୍ । ଏସିଆ କପରେ ଆଜି କିଛି ସମୟ ପରେ ଶ୍ରୀଲଙ୍କାକୁ ଭେଟିବ ଦଳ । ମ୍ୟାଚ୍ ହାରିଲେ ଫାଇନାଲ୍ ରେସରୁ ବାଦ ପଡ଼ିବ । ତେବେ ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଆର ଅଶ୍ବନୀ । ଆଉ କିଛି ସମୟ ପରେ ଏସିଆ କପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ଫାଇନାଲକୁ ପ୍ରବେଶ କରିବାକୁ ହେଲେ ଭାରତକୁ ଆଜିର ମ୍ୟାଚରେ ବିଜୟ ହାସଲ କରିବାକୁ ପଡ଼ିବ ।

ଗତ ମ୍ୟାଚରେ ପାକିସ୍ତାନଠୁ ପରାସ୍ତ ପରେ ଆଜି ଜୋରଦାର କସରତ କରିବେ ରୋହିତ ବାହିନୀ । ସେପଟେ ଲଗାତାର ଦୁଇଟି ମ୍ୟାଚ ଜିତି ଫାଇନାଲର ନିକଟତର ହେବାକୁ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ମ୍ୟାଚରେ ଭାରତ ବୋଲିଂ ଲାଇନ ଅଫକୁ ସଜାଡିବାକୁ ଚେଷ୍ଟା କରିବ । ପୂର୍ବରୁ ପାକିସ୍ତାନ ଓ ହଂକଂକୁ ଭାରତ ପରାସ୍ତ କରିଥିବା ବେଳେ ସୁପର ୪ରେ ପାକିସ୍ତାନଠୁ ଦଳ ପରାଜିତ ହୋଇଛି । ଆଜିର ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ମ୍ୟାଚ୍ ପୂର୍ବରୁ ରୋହିତ କରିଛନ୍ତି ଆମେ ମଧ୍ୟ ବୋଲିଂ ପାଇଁ ଚାହୁଁଥିଲୁ । ହେଲେ ବ୍ୟାଟିଂ ପାଇଁ ଆହ୍ୱାନ ମିଳିଛି । କୌଣସି ଫରକ ପଡ଼ିବନି ଆମେ ସମ୍ପୂର୍ଣ୍ଣ ଉଦ୍ୟମ କରିବୁ ଆଜିର ମ୍ୟାଚ ପାଇଁ । ବିଷ୍ଣୋଇଙ୍କ ସ୍ଥାନରେ ଆଜି ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ସ୍ଥାନ ଦିଆଯାଇଛି । ଆଶା କରୁଛି ସମସ୍ତେ ଭଲ ପ୍ରଦର୍ଶନ କରିବେ । ସେହିପରି ଶ୍ରୀଲଙ୍କା ଅଧିନାୟକ ଦସୁନ ଶନକା କହିଛନ୍ତି, ଆମେ ବୋଲିଂ ପାଇଁ ବାଛିଛୁ । କାରଣ ଏଠାରେ ଖେଳାଯାଇଥିବା ଗତ ତିନୋଟି ମ୍ୟାଚ ପ୍ରଥମ ବୋଲିଂ କରିଥିବା ଦଳ ଜିତିଛି । ତେଣୁ ଆଜି ଆମେ ବିଜୟ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବୁ । ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଭାରତୀୟ ଦଳ: କେଏଲ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ୱିକେଟ କିପର), ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ।

ଶ୍ରୀଲଙ୍କା ଦଳ: ପଥୁମ ନିଷାଙ୍କ, କୁସାଲ ମେଣ୍ଡିସ (ୱିକେଟକିପର), ଚରିଥ ଅଶାଲଙ୍କା, ଦନୁଷ୍କା ଗୁଣାଥିଲକା, ଭାନୁକା ରାଜପକ୍ଷ, ଦାସୁନ ଶନକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହୀଶ ଥିକଶାନା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଦୁଶଙ୍କା ।