ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷ

କଲମ୍ବୋ: କଲମ୍ବୋ ଫେରିଲେ ଗୋଟାବାୟା ରାଜପକ୍ଷ । ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ଷ୍ଟେଟ୍ ଗେଷ୍ଟହାଉସରେ ତାଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଆର୍ଥିକ ଦୁରାବସ୍ଥାକୁ ନେଇ ରାଜପକ୍ଷ ପରିବାରକୁ ଦାୟୀ କରି ଦେଶବ୍ୟାପୀ ଜନ ଆନ୍ଦୋଳନ ଜୋରଦାର ହୋଇଥିଲା । ଏପରିକି ରାଷ୍ଟ୍ରପତି ବାସଭବନରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏବେ ବି ଦେଶରେ ଇନ୍ଧନ, ଔଷଧ ଓ ଖାଦ୍ୟ ସଙ୍କଟ ଲାଗି ରହିଛି ।