ଶୀଘ୍ର ଜ୍ବରରୁ ଉପସମ ପାଇବେ ମହାପ୍ରଭୁ, ଆଜି ଓଷୁଅ ଲାଗି କରିବେ ଦଇତାପତି ସେବକ

ପୁରୀ : ଆଜି ମହାପ୍ରଭୁଙ୍କୁ ଲାଗି ହେବ ଓଷ । ଜ୍ବରରୁ ଉପସମ ପାଇ ଓଷୁଅ ଲାଗି କରିବେ ସେବାୟତ । ସ୍ନାନପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଅଛନ୍ତି । ତାଙ୍କ ଜ୍ୱର ଉପଶମ ପାଇଁ ଦଇତା ସେବକଙ୍କ ଦ୍ୱାରା ଗୁପ୍ତ ସେବା ଚାଲୁ ରହିଛି । ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ।

ତେବେ ଆଜି ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି ହେବାର ବିଧି ରହିଛି । ମଧ୍ୟାହ୍ନ ଧୂପ ପରେ ଶୁଦ୍ଧ ସୁଆରମାନେ ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ କରିଥିବା ଔଷଧକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବେ । ଏହି ଓଷ ଲାଗି ୩ ଦିନ ଧରି ଚାଲିବ । ଫଳରେ ଶ୍ରୀଜିଉ ଜ୍ୱରରୁ କିଛିଟା ଉପଶମ ପାଇବେ । ତେବେ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।