ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି, ଅଧ୍ୟାଦେଶ ହଟାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

1 min read

କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଂକଟ ଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି ସୁଧାର ଆସି ନଥିବା ସତ୍ତ୍ୱେ ରାଷ୍ଟ୍ରପତି ଏପ୍ରିଲ ୫ ମଧ୍ୟରାତ୍ରୀରୁ ଏହି ଅଧ୍ୟାଦେଶ ହଟାଇଛନ୍ତି । ଗତ ସୋମବାର ରାଷ୍ଟ୍ରପତି କ୍ୟାବିନେଟ ଭାଙ୍ଗିଦେଇଥିବାବେଳେ ଏକ ସର୍ବଦଳୀୟ ସରକାର ଗଠନ ଲାଗି ଆହ୍ୱାନ ଜଣାଇଥିଲେ । ମାତ୍ର ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ବିରୋଧୀ ଦଳ ଅଗ୍ରାହ୍ୟ କରିଥିଲେ ।

ସେପଟେ ଦେଶରେ ଖାଦ୍ୟପଦାର୍ଥ, ଇନ୍ଧନ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧର ଅଭାବ ଲାଗି ରହିଛି । ଆକାଶଛୁଆଁ ଦର ଯୋଗୁ ଲୋକ ନାନା ସମସ୍ୟାର ଶିକାର ହୋଇଛନ୍ତି । ଗତକାଲି ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଛାତ୍ର ଓ ଜନତା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସରକାରୀ ବାସଭବନ ଅଭିମୁଖେ ପଦଯାତ୍ରା କରି ଯିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଅଟକାଇବା ଲାଗି ପୋଲିସ ମାନବ ଶୃଙ୍ଖଳ ଗଠନ କରିଥିଲା । ଦୁଇଟି ଦଳ ସମର୍ଥନ ପ୍ରତ୍ୟାହାର କରିବା ପରେ ସଂଖ୍ୟାଲଘୁ ପାଲଟିଥିବା ଗୋଟାବାୟା ସରକାରଙ୍କ ଉପରେ ବିପଦ ମାଡ଼ିଆସିଛି ।

ତେବେ ଗୋଟାବାୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା ନେଇ ସେପରି କୌଣସି ଯୋଜନା କରାଯାଇନାହିଁ । ସରକାରଙ୍କ ବିରୋଧରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେଉଥିବାବେଳେ ବିକ୍ଷୋଭରେ ପାଦ୍ରୀ, ନନଙ୍କଠାରୁ ଆରମ୍ଭ କରି ଛାତ୍ର, ଯୁବକ, ଶ୍ରମିକ, ବୁଦ୍ଧିଜୀବୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୧୯୪୮ ପରେ ସବୁଠାରୁ ବଡ଼ ବିପଦର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାକୁ କେବଳ ଭାରତ ବ୍ୟତୀତ ଅନ୍ୟରାଷ୍ଟ୍ରରୁ ସେପରି କୌଣସି ବଡ଼ ସାହାଯ୍ୟ ମିଳିନାହିଁ ।