ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ଲାଗି ଆମେରିକାକୁ ଅନୁରୋଧ କରିଛି ଶ୍ରୀଲଙ୍କା ସରକାର

କଲମ୍ବୋ: ଆମେରିକାରେ ଶ୍ରୀଲଙ୍କା ସରକାରଙ୍କ ପ୍ରତିନିଧି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ଲାଗି ଆମେରିକାକୁ ଅନୁରୋଧ କରିଛନ୍ତି ପ୍ରତିନିଧି ମଣ୍ଡଳୀ । ଅର୍ଥମନ୍ତ୍ରୀ ଅଲ୍ଲି ସାବ୍ରିଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ୪ ବିଲିୟନ ଡଲାରର ପ୍ୟାକେଜ ଲାଗି ପ୍ରସ୍ତାବ ଦେଇଛନ୍ତି । ଯଦି ଏହି ପ୍ୟାକେଜ ମିଳେ ତେବେ ଶ୍ରୀଲଙ୍କା ବିପଦରୁ ରକ୍ଷା ପାଇପାରେ ।

ସେପଟେ ଆଜି ବସିବ ଶ୍ରୀଲଙ୍କାର ପାର୍ଲାମେଣ୍ଟ ଅଧିବେଶନ । ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ୧୭ ଜଣିଆ ନୂଆ କ୍ୟାବିନେଟ ନିଯୁକ୍ତ କରିଥିଲେ । ନୂଆ କ୍ୟାବିନେଟରେ ରାଜପକ୍ଷଙ୍କ ଦୁଇ ଭାଇ ଚମଲ ଓ ବସିଲ ରାଜପକ୍ଷଙ୍କୁ ସ୍ଥାନ ଦିଆଯାଇନାହିଁ । ଗତ ସପ୍ତାହରେ ଶ୍ରୀଲଙ୍କା ୫୧ ବିଲିଅନ ଡଲାର ବିଦେଶୀ ଋଣ ଶୁଝିପାରିବ ନାହିଁ ବୋଲି କହିଥିଲା । ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ରାଜଧାନୀ କଲୋମ୍ବୋ ଓ ଅନ୍ୟ ସହରରେ ବିକ୍ଷୋଭ ଜାରି ରହିଛି ।