ବାଲେଶ୍ବରକୁ ବନ୍ୟା ଆଶଙ୍କା, ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା ଥିବାରୁ ଦଆଯାଇଛି ଏହି ସ୍ବତନ୍ତ୍ର କ୍ଷମତା । ବନ୍ୟା ଭଳି ଜରୁରୀ ପରିସ୍ଥିତିର ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏସଆରସି କ୍ଷମତା । ଆଗାମୀ ଦିନରେ ବାଲେଶ୍ୱରରେ ବନ୍ୟା ସ୍ଥିତି ଜଟିଳ ହୋଇପାରେ  । ଗୋଟେପଟେ ହିରାକୁଦରୁ ପାଣିକମିଥିବା ବେଳେ ସୁବର୍ଣ୍ଣରେଖା ଫୁଲିବାରେ ଲାଗିଛି  ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କ୍ଷମତା ପ୍ରଦାନ କରାଯାଇଛି । ଏମିତିକି ଯଦି ଜରୁରୀକାଳିନ ସ୍ଥିତିର ଉଦ୍ଧାରକାର୍ଯ୍ୟ ପାଇଁ  ହେଲିକପ୍ଟର ଆବଶ୍ୟକ ପଡ଼େ, ତେବେ ହେଲିକପ୍ଟର  ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହି କ୍ଷମତା ସମସ୍ତଙ୍କୁ ମିଳିନଥାଏ   । କିନ୍ତୁ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫୋକସରେ ରଖିଛନ୍ତି  । ତେଣୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ପ୍ରଦାନ କରିଛନ୍ତି  ।