ଝାଡଖଣ୍ଡରେ ବର୍ଷା, ଭାସିପାରେ ବାଲେଶ୍ବର ମୟୂରଭଞ୍ଜ

ଭୁବନେଶ୍ବର: ମୟୂରଭଞ୍ଜ ଓ ବାଲେଶ୍ବରରେ ଆସୁଛି ବନ୍ୟା । ସୁବର୍ଣ୍ଣରେଖା ନଦୀର ରାଇଜିଂ ଟ୍ରେଣ୍ଡ ବାଲେଶ୍ବର ଓ ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର କରିବ । ସୁବର୍ଣ୍ଣରେଖା ଅବବାହିକାରେ ଆସିବ ବନ୍ୟା । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡିହି ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍ ପାଣି  ଆସୁଛି । ଏନେଇ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ଭୋଗରାଇ, ଜଳେଶ୍ବର ଓ ବସ୍ତାରେ ବନ୍ୟାର ପ୍ରକୋପ ରହିବ ।

ଗତକାଲି ଠାରୁ ଅଞ୍ଚଳରେ ଜିଲ୍ଲାପାଳ ସଜାଗ ଅଛନ୍ତି  । ଘଟଣାସ୍ଥଳକୁ ଅତିରିକ୍ତ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ୫ ଏନଡିଆରଏଫ, ୪ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ୧୨ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି । ସ୍ଥାନୀୟ ଟିମ୍ ସହ ପାଖାପାଖି ୪୦ ଅପରେସନାଲ ଟିମ୍ ରହିବେ । ବାଲେଶ୍ବର ଜିଲ୍ଲାରେ ବନ୍ୟାର ପ୍ରଭାବ ଅପରାହ୍ନ ପରେ ସ୍ପଷ୍ଟ ହେବ  । କାଲି ଯାଏଁ ରହିବ ପ୍ରଭାବ  ।

ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ହେଲେ ମଧ୍ୟ ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ଅଛି  । ଉଦବେଗଜନକ ସ୍ଥିତି ନାହିଁ । ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ଫଲିଂ ଟ୍ରେଣ୍ଡରେ ରହିଛି । ଆଖୁଆପଦାରେ ବୈତରଣୀ ଜଳସ୍ତର କମିବ  । ଗତ ବନ୍ୟାରେ କାଣୀନଦୀରେ ଘାଇ ଯୋଗୁ ଏବେ ସମସ୍ୟା ଉପୁଜୁଛି । ବୈତରଣୀ ବନ୍ୟା ସ୍ଥିତି ପାଇଁ ଭଦ୍ରକ, ଯାଜପୁର ଲାଗି ଅତିରିକ୍ତ ଫାୟାର, ଓଡ୍ରାଫ ଓ  ଏନଡିଆରଏଫ୍ ଟିମ୍ ପଠାଯାଇଛି । ଭଦ୍ରକକୁ ୨ ଏନଡିଆରଏଫ୍, ୨ ଓଡ୍ରାଫ ଓ ୫ ଫାୟାର ଟିମ୍ ଯାଇଛନ୍ତି  । ଯାଜପୁର ପାଇଁ ମଧ୍ୟ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି ।

ସେପଟେ ହୀରାକୁଦ ଜଳସ୍ତର କମିଛି । ମୁଣ୍ଡଳୀରେ ଧୀରେଧୀରେ ଖସୁଛି ପାଣି  । ଆଉ ଜଳସ୍ତର ବଢ଼ିବନି, କିନ୍ତୁ ତଳି ଅଞ୍ଚଳରେ ପାଣି ଅଛି । ବନ୍ୟା ପରିସ୍ଥିତି ଧୀରେଧୀରେ ସୁଧୁରୁଛି । ମହାନଦୀ ସିଷ୍ଟମରେ ବନ୍ୟା ସ୍ଥିତି ଗମ୍ଭୀର ହେବାର ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟପଟେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏହାର ସମୀକ୍ଷା କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ବନ୍ୟା ଆସୁଥିବାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।