ଜୀବନବ୍ୟାପୀ ସେବା ସମ୍ମାନ ନେଇ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ, ସ୍ୱାଗତ ପାଇଁ ସ୍ୱତନ୍ତ୍ର ଆୟୋଜନ

1 min read

ଭୁବନେଶ୍ୱର: ଜୀବନବ୍ୟାପୀ ସେବା ସମ୍ମାନ ନେଇ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଛି ବିଜେଡି । ୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରୁଥିବା ମହାନାୟକଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ସାଜସଜ୍ଜା କରାଯାଇଛି । ପୁରୁଣା ବିମାନବନ୍ଦର ବାହାରେ ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଶିବିର କରାଯାଇଛି । ସେଠାରେ ନେତାଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରିବେ ନବୀନ । ବିମାନବନ୍ଦରରୁ ନବୀନ ନିବାସ ଯାଏ ଭିନ୍ନ ଭିନ୍ନ ମଞ୍ଚ କରାଯାଇଛି । ଗୋଟିପୁଅ ନାଚ, ଯୋଡ଼ିଶଙ୍ଖ, ଢେମସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣ କରାଯିବ । କେନ୍ଦୁଝର ଓ ମୟୂରଭଞ୍ଜରୁ ପାରମ୍ପରିକ ନାଚଗୀତ ପ୍ରଦର୍ଶିତ କରିବେ କଳାକାର ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ୫୦ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ହଜାର ହଜାର ଲୋକଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ୱିନ୍ ସିଟି ପୋଲିସ ପକ୍ଷରୁ ସଭାସ୍ଥଳୀ ସମେତ ବିମାନବନ୍ଦର ପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଆଡ଼ୁ ଆସୁଥିବା କର୍ମୀଙ୍କ ପାଇଁ ପଲ୍ଲାସପଲ୍ଲୀ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ପୁରୀ ଆଡ଼ୁ ଆସୁଥିବା ଲୋକ ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ ଭିତରେ ଚିହ୍ନଟ ପାର୍କିଂ ସ୍ପଟରେ ଗାଡ଼ି ରଖିବେ । ବାକି ଲୋକଙ୍କ ପାଇଁ ୟୁନିଟ-୬ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ୮ ଆଡିସନାଲ ଡିସିପି, ୧୬ ଏସିପିଙ୍କ ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।