ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଛି, କେନ୍ଦ୍ରକୁ ଯାଇଛି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ ଏହା ପଠାଯାଇଥିଲା । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା ।

୨୦୧୫ ଫେବ୍ରୁଆରୀ ୨ରେ କର୍ଣ୍ଣାଟକ, ମେ’ ୨୦ରେ ମହାରାଷ୍ଟ୍ର, ୨୦୧୮ ଜୁଲାଇ ୪ରେ ବିହାର, ଜୁଲାଇ ୧୬ରେ ତେଲେଙ୍ଗାନା ଗସ୍ତ କରିଥିଲା ଏହି କମିଟି । ବିଭିନ୍ନ ରାଜ୍ୟ ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି । ୨୦୧୮ ଅଗଷ୍ଟ ୨୯ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନ ପରିଷଦ ଗଠନ ନେଇ ନୋଟିସ୍ କରିଥିଲେ । ସେପ୍ଟେମ୍ବର ୫ରେ ସବୁ ବିଧାୟକଙ୍କୁ ନୋଟିସ୍ ଦିଆଯାଇ ୬ରେ ବିଧାନସଭାରେ ସରକାରୀ ଦଳ ଏନେଇ ପ୍ରସ୍ତାବ ଆଣିଥିଲେ । ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା । ୨୦୧୮ ସେପ୍ଟେମ୍ବର ୧୮ରେ ଲୋକସଭା ଓ ରାଜ୍ୟସଭା ସଚିବ, ଆଇନ ମନ୍ତ୍ରାଳୟ ସଚିବ, କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବଙ୍କୁ ସଂକଳ୍ପ ପଠାଯାଇଥିଲା । ତେବେ ଏବେ କେନ୍ଦ୍ରର ଏଭଳି କହିବା ଦୁଃଖ ଲାଗୁଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଧାନ ପରିଷଦ ସଂକଳ୍ପ ତଥ୍ୟ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ । ୨୦୧୮ରୁ ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରକୁ ରାଜ୍ୟ ପଠାଇଛି । କେନ୍ଦ୍ର ସେତେବେଳେ ଏହି ପ୍ରସଙ୍ଗରେ ଚୁପ ରହିଥିଲା । ଏବେ ଏହି ପ୍ରସଙ୍ଗକୁ କାହିଁକି ମନା କରୁଛନ୍ତି ତାହା ବୁଝି ହେଉନି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ।

 

Leave a Reply