ତିର୍ତ୍ତୋଲ ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ପଦଯାତ୍ରା

ଭୁବନେଶ୍ୱର: ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା । ତିର୍ତ୍ତୋଲ ଠାରୁ ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ପୂର୍ବତନ କର୍ମଚାରୀ ଓ ସାମାଜିକ କର୍ମୀ। ତିର୍ତ୍ତୋଲର କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକ ଓ ତାଙ୍କ ସହଯୋଗୀ ମାନେ ଶାରଳା ସୂତାକଳକୁ ଋଣ ମୁକ୍ତ ଓ ପୁନଃଉଦ୍ଧାର କରିବା ଦାବିରେ ଗତକାଲି ଠାରୁ ପଦଯାତ୍ରାରେ ବାହାରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ।
ପୂର୍ବରୁ ଦସ୍ତଖତ ସଂଗ୍ରହ ଅଭିଯାନରେ ତିର୍ତ୍ତୋଲ ଜନତାଙ୍କ ପ୍ରାୟ ଦଶହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ତିର୍ତ୍ତୋଲରେ ଥିବା ଶାରଳା ସୂତାକଳ ଗତ ୧୯୯୯ ମସିହା ମହାବାତ୍ୟା ପରଠାରୁ ବନ୍ଦ ହୋଇ ପଡିଛି । ଏହି ସୂତାକଳରେ ୧୬ ଶହରୁ ଅଧିକ କର୍ମଚାରୀ କାମ କରୁଥିଲେ । ହାରାହାରି ୩୨ ଏକର ଜମିରେ ନିର୍ମିତ ହୋଇଥିବା ଏହି ସୂତାକଳର ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ୠଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୫ ଏକରରୁ ଅଧିକ ଜମି ଅକ୍ତିଆର କରିଛି।
ଯାହାର ବଜାର ମୂଲ୍ୟ ୫୬ କୋଟି ଟଙ୍କା ହେବ। ତେଣୁ ରାଜ୍ୟ ସରକାର ସୂତାକଳକୁ ନିଜ ଅକ୍ତିଆରକୁ ନେଇ ୠଣ ପରିଶୋଧ କରି ଜମି ଫେରାଇ ଆଣିବା ପାଇଁ ଅନୁରୋଧ କରାଯାଇଛି । ଏହା ସହ ସୂତାକଳର ପୁନରୁଦ୍ଧାର କରି ପୁଣି ଚାଲୁ କରାଯାଉ । ଯଦି ତାହା ଲାଭଦାୟକ ହେଉନାହିଁ ତେବେ ସେହି ଜମିକୁ ବ୍ୟବହାର କରି ଅନ୍ୟ ଶିଳ୍ପ ପ୍ରତିଷ୍ଠା କଲେ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ନିଯୁକ୍ତି ପାଇପାରିବେ ବୋଲି ହିମାଂଶୁ ଦାବି କରିଛନ୍ତି ।