ପଦ୍ମଶ୍ରୀ କମଳା ପୂଜାରୀଙ୍କ ରିଲ୍ସ ଭାଇରାଲ, ଅସୁସ୍ଥ ବେଳେ କାହିଁକି ନଚାଇଲେ ?

ନନ୍ଦିଘୋଷ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବା ବେଳେ ସମାଜସେବୀଙ୍କ ରିଲ୍ସକୁ ନେଇ ତେଜୁଛି ବିରୋଧ । କମଳା ପୂଜାରୀ କଟକ ବଡ଼ ମେଡିକାଲର ଆଇସିୟୁରେ ଥିବା ସମୟରେ ତାଙ୍କ ନିକଟରେ ଥିବା ମହିଳା ସମାଜସେବୀ ମମତା ବେହେରା ନିଜେ ନାଚିବା ସହିତ କମଳାଙ୍କୁ ନଚାଇଥିଲେ । ସେ ନାଚିବା ଅବସ୍ଥାରେ ନଥିଲେ, କିନ୍ତୁ ସମାଜସେବୀ ଜଣକ ତାଙ୍କ ଅଣ୍ଟାକୁ ଧରି ନାଚିବାକୁ ବାଧ୍ୟ କରିଥିବା କମଳା ପୂଜାରୀ କହିଛନ୍ତି । ଜୟପୁରର କମଳା ପୂଜାରୀଙ୍କ ସହିତ ଯାଇଥିବା ସ୍ବେଚ୍ଛାସେବୀ ରାଜୀବ ହିଆଲ କହିଛନ୍ତି ଯେ ମହିଳା ଜଣଙ୍କ ହଠାତ ଫୋନ କରି କମଳା ପୂଜାରୀ ରହିଥିବା ଆଇସିୟୁକୁ ଆସି ତାଙ୍କ ସେବା କରିବାକୁ କହି ତାଙ୍କ ସହିତ ରହିଥିଲେ ।

ବିଭିନ୍ନ ସମୟରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ରାଜୀବ ହିଆଲ । ଅନ୍ୟପଟେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଆଦିବାସୀ ସଂଘର କର୍ମକର୍ତ୍ତା ଏକ ବୈଠକ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଫୋନ୍ ଯୋଗେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ମହିଳା ଜଣକ ତାଙ୍କ ସହିତ ଥିଲେ । ତେବେ ସେ କେତେବେଳେ ଏପରି କରିଛନ୍ତି, କାହାକୁ ଜଣାନାହିଁ । ଗଣମାଧ୍ୟମରୁ ମେଡିକାଲ ପ୍ରଶାସନ ଏହା ଜାଣିବାକୁ ପାଇଛି । କେଉଁ ପରିସ୍ଥିତିରେ ଏହା ଘଟିଲା, ସେ ନେଇ ତଦନ୍ତ କରାଯିବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।

ସେପଟେ ସମାଜସେବୀ ମମତା ବେହେରା ନନ୍ଦିଘୋଷ ଟିଭି ଆଗରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମୁଁ  ଭୁଲ କରିନି । କମଳା ପୁଜାରୀ ସୁସ୍ଥ ହେବା ଖୁସିରେ ଆମେ ନାଚିଥିଲୁ । ଏହାକୁ କିଏ ମନ୍ଦ ଉର୍ଦ୍ଦେଶ୍ୟ ରଖି ଭାଇରାଲ କରିଥିବା କହିଛନ୍ତି ମମତା । ଅନ୍ୟପଟେ ମମତା କହିଛନ୍ତି କମଳା ପୂଜାରୀଙ୍କ ସହ ମୋର ସମ୍ପର୍କ ଆଜିର ନୁହେଁ  । ଦୀର୍ଘ ୪ ବର୍ଷ ହେବ କମଳା ମାଆଙ୍କ ସହ ମୋର ସମ୍ପର୍କ  । ବୟସରେ ୪୦ ବର୍ଷ ମୋ ଠାରୁ ବଡ଼ ହେଲେ ମଧ୍ୟ ୪ ବର୍ଷ୍ ହବ ଆମର ଘନିଷ୍ଠ ବନ୍ଧୁତା  । କେବଳ ସେ ସୁସ୍ଥ ହେବାରୁ ଖୁସିରେ ଭିଡ଼ିଓ ଟି କରିଥିବା କହିଛନ୍ତି ମମତା  ।