୫ଦିନ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଆହୁରି ୫ଦିନ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଅବକାରୀ ନୀତିକୁ ନେଇ ଗିରଫ ସିସୋଦିଆଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଥିବା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସିସୋଦିଆଙ୍କୁ ଆଉ ୭ଦିନ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିଥିଲା ।

ମାତ୍ର କୋର୍ଟ ଆଉ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ସିସୋଦିଆଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ପ୍ରତିପକ୍ଷ ଓକିଲ ଏହାକୁ ବିରୋଧ କରିଥିଲେ । ୭ଦିନ ରିମାଣ୍ଡର ଇଡି ମାତ୍ର ୧୨ରୁ ୧୩ ଘଣ୍ଟା ଜେରା କରିଛି । କୋର୍ଟରେ ଇଡି ଯାହା ତଥ୍ୟ ରଖିଛି ପୂର୍ବରୁ ସିବିଆଇ ମଧ୍ୟ ସମାନ ତଥ୍ୟ ରଖିସାରିଛି ବୋଲି ସିସୋଦିଆଙ୍କ ଓକିଲ କହିଥିଲେ । ସେପଟେ ଦିଲ୍ଲୀ ସରକାରକୁ ବଦନାମ କରିବାକୁ ଜାଣିଶୁଣି ସିସୋଦିଆଙ୍କ ରିମାଣ୍ଡ ବଢ଼ାଯାଉଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।