ଦେଶରେ ୨୦ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ୨୦ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣରେ ଆଜି ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨ ହଜାର ୫୩୮ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ୯୩୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦୈନିକ ସଂକ୍ରମଣରେ ଏଭଳି ରେକର୍ଡ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୬୦ ହଜାର ଟପିଯାଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ୫୭ ହଜାର ୧୫୧ ମାମଲା ଥିଲା। ଦେଶରେ କରୋନାରେ ମୋଟ୍ ମୃତ୍ୟୁସଂଖ୍ୟା ୪୨ହଜାର ୫୧୮କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ୪ଲକ୍ଷ ୯୦ହଜାର ୨୬୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ହଜାର ୯୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪ହଜାର ୬୯୦ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୨ଲକ୍ଷ ପାରି ସଂକ୍ରମିତଙ୍କସଂଖ୍ୟା । ୧୮ଶହ ୪୨ଜଣଙ୍କ ମୃତ୍ୟୁ । ସେହିପରି କର୍ଣ୍ଣାଟକ , ଦିଲ୍ଲୀ ଓ ୟୁପିରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୯୯୮, ୪ହଜାର ୮୨ ଓ ୧୯୮୧ ।

ସେହିପରି ଗୁରୁବାର ଦେଶରେ ସର୍ବାଧିକ ୬ ଲକ୍ଷ ୬୦ ହଜାର କରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା‌ ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ ୭ ହଜାର ୩୮୪ ରହିଛି ଏବଂ ୧୩ ଲକ୍ଷ ୭୮ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ରହିଛି ୧ ଲକ୍ଷ ୩୬ ହଜାର ୨୬୮ ଏବଂ ୩ ଲକ୍ଷ ୫ ହଜାର ୫୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍‌ ୧୬ ହଜାର ୪୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ମୋଟ୍‌ ୫୪ ହଜାର ୧୮୪ ସକ୍ରିୟ ମାମଲା ଥିବାବେଳେ ୨ ଲକ୍ଷ ୧୪ ହଜାର ୮୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ମାତ୍ର ୨୧ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ମାମଲା ରିପୋର୍ଟ କରାଯାଇଛି। ଗୁରୁବାର ପୁଣି ୯୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆମେରିକା, ବ୍ରାଜିଲ୍‌ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଯାଇଛି। ଭାରତରେ ସଂକ୍ରମଣ ବୃଦ୍ଧିହାର ୩.୧ ପ୍ରତିଶତ ଥିବାବେଳେ ଆମେରିକାରେ ୧.୧ ପ୍ରତିଶତ ଏବଂ ବ୍ରାଜିଲ୍‌ରେ ୨ ପ୍ରତିଶତ ରହିଛି । ମାତ୍ର ୯ ଦିନ ମଧ୍ୟରେ ଭାରତରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି। ଗୁରୁବାର ଦିନ ଦେଶରେ ମୋଟ୍‌ ୬୨ ହଜାର ୪୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

Leave a Reply