ସିମବକ୍ସ ଘଟଣା, ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟ ପରେ ଝାଡ଼ଖଣ୍ଡ ର ରାଞ୍ଚି ରୁ ଠାବ ହେବ ସିମ ବକ୍ସ । ତୃତୀୟ ଦିନ ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ପ୍ରଥମେ ମଙ୍ଗରାଜ ପଏଣ୍ଟ ଓ ପରେ ମଧୁପାଟଣା ପରେ ଏବେ ପୁଣି ସୁଦୂର ରାଞ୍ଚି ରୁ ମିଳିବାକୁ ଯାଉଛି ସିମ ବକ୍ସ ଅଡ୍ଡା । କେବଳ ସେତିକି ନୁହେଁ ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁ ର ମାଷ୍ଟରମାଇଣ୍ଡ ଥିବା ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କାରଣ ଜଣେ ବିଦେଶୀ ଭାବେ ଆସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ ସି ପୂରଣ କରିନଥିଲା ହୋଟେଲ । ଯାହାଫଳରେ ପୁରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ । ଟୁଇନ ସିଟିରୁ ଏପର୍ଯ୍ୟନ୍ତ ମୋଟ ୧୨ ଟି ସିମବକ୍ସ ମିଳିଛି ।

ସିମବକ୍ସ ହଇଚଇ ଭିତରେ ପୂର୍ବରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା ।

ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଏବଂ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର । ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନ ଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା ।