ଆଜି ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପସ୍ଥାପନ

1 min read

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଛତିଶା ନିଯୋଗ ବୈଠକରେ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ନୀତି ନିର୍ଘଣ୍ଟ କରାଯାଇଛି l ଆଜି ପରିଚାଳନା କମିଟି ବୈଠକରେ ଏହାକୁ ଉପସ୍ଥାପନ କରାଯିବ । ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ ଟାରେ ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ l

ନୀତି ନିର୍ଘଣ୍ଟ ଅନୁସାରେ ଜୁଲାଇ ୬ ତାରିଖ ଦିନ ପଟି ଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ l ୬ ତାରିଖରେ ଅପରାହ୍ନ ୫ଟାରେ ରଥ ଆଜ୍ଞାମାଳ ବିଜେ ହେବ । ୬ ତାରିଖରେ ରାତି ଦୁଇଟାରେ ମଙ୍ଗଳ ଆଳତି, ରାତି ୨ଟା ୩୦ରେ ଅବକାଶ ନୀତି, ୭ ତାରିଖ ଭୋର ୩ଟାରେ ତାଟି ଫିଟା ନୀତି, ୭ ତାରିଖ ଭୋର ୪ଟାରେ ନେତ୍ରୋତ୍ସବ ବନ୍ଦାପନା ଓ ରୋଷ ହୋମ, ୪ଟା ୪୫ ମିନିଟରେ ଯାତ୍ରାଙ୍ଗୀ ମହାସ୍ନାନ, ୫ଟା ୧୦ରେ ହେବ ସୂର୍ଯ୍ୟପୂଜା, ୫ଟା ୨୫ରେ ଦ୍ବାରପାଳ ପୂଜା । ଭୋର ୫ଟା ୪୫ରେ ସରିବ ବେଶ । ସକାଳ ୬ଟାରୁ ୭ଟା ଗୋପାଳବଲ୍ଲବ ଓ ସକାଳ ଧୂପ ହେବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୭ଟା ୩୦ରୁ ୧୨ଟା ୩୦ ସେନାପଟା ଲାଗି ହୋଇ ଦିନ ୧୧ଟାରେ ରଥ ପ୍ରତିଷ୍ଠା କରାଯିବ ।

ଦିନ ଗୋଟାଏରେ ମଙ୍ଗଳାର୍ପଣ ହୋଇ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ପହଣ୍ଡି । ଦିନ ୨ଟା ୩୦ରେ ପହଣ୍ଡି ଶେଷ ହେବ । ଅପରାହ୍ନ ୩ଟାରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବିଜେ କରିବେ । ଅପରାହ୍ନ ୪ଟାରେ ଛେରାପହଁରା ହୋଇ ୪ଟା ୩୦ରେ ଚାରଫିଟା ଓ ଘୋଡ଼ାସାରଥି ଲାଗି ହେବ । ଏହାପରେ ଅପରାହ୍ନ ୫ଟାରୁ ରଥଟଣା ଆରମ୍ଭ ହେବ । ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଛି । ତେଣୁ ୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତବର୍ଷ ନୀତି ସ୍ଥିରିକୃତ କରାଯାଇଛି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।