ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର, ଦ୍ରୁତଗତିରେ ଚାଲିଛି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର କାମ

ପୁରୀ: ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏଥିପାଇଁ କାମ ଦ୍ରୁତ ଗତିରେ ଜାରି ରହିଛି । ବିମାନ ବନ୍ଦର ପ୍ରତିଷ୍ଠା ନେଇ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଛି । ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଥିବା ସିପସରୁବାଲି ଓ ଷଣ୍ଢପୁର ମୌଜାରେ ପାଖାପାଖି ୨୨୧.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ସର୍ବେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଗ୍ରାମସଭା ମାଧ୍ୟମରେ ଜନଶୁଣାଣି କରାଯିବ । ପ୍ରସ୍ତାବିତ ଏୟାରପୋର୍ଟର ପାଚେରୀ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରିଭିଜିବିଲିଟି ରିପୋର୍ଟ ସମେତ ଅବଷ୍ଟାକଲ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଥିବା ବେଳେ ଏୟାରପୋର୍ଟ ନିର୍ମାଣ ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି ।