ଓଡ଼ିଶା ପରେ ମଧ୍ୟପ୍ରଦେଶରେ ଜର୍ଣ୍ଣାଲିଷ୍ଟ ଯୋଦ୍ଧା

ଭୋପାଳ: ନବୀନଙ୍କ ରାସ୍ତାରେ ଶିବରାଜ । ଓଡ଼ିଶା ପରେ ମଧ୍ୟପ୍ରଦେଶରେ ଜର୍ଣ୍ଣାଲିଷ୍ଟ ଯୋଦ୍ଧା । ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିଛନ୍ତି ଏମ୍‌ପି ସରକାର । କରୋନା ସଂକଟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ସାମ୍ବାଦିକମାନେ କାମ କରୁଛନ୍ତି । ତେଣୁ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।

ରାଜ୍ୟରେ ୪ହଜାରରୁ ଅଧିକ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି। ସେମାନଙ୍କୁ ଅନ୍ୟ କୋଭିଡ୍ ସମ୍ମୁଖ ଯୋଦ୍ଧାଙ୍କ ଭଳି ସବୁ ସରକାରୀ ସହାୟତା ଦିଆଯିବ। ଓଡ଼ିଶା ସରକାର ପୂର୍ବରୁ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ହେଲେ କେନ୍ଦ୍ର ଜବାବ ନଦେବାରୁ ରାଜ୍ୟ ସରକାର ଗତକାଲି ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିଥିଲେ । ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ଏହାକୁ ସ୍ବାଗତ କରିବା ସହ ନବୀନଙ୍କୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରିବା ପାଇଁ ଟ୍ବିଟ୍ କରିଥିଲେ ।

ଏହାପରେ ଆଜି ମଧ୍ୟପ୍ରଦେଶ ସରକାର ସାମ୍ବାଦିକଙ୍କୁ କୋଭିଡ୍ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି । ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଅନ୍ୟ ରାଜ୍ୟ ଅନୁସରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନୂଆ ପଥ ଦେଖାଉଛନ୍ତି ନବୀନ ପଟ୍ଟନାୟକ । ଅନ୍ୟ ରାଜ୍ୟମାନେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଥିବାରୁ ଗର୍ବିତ ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ।

Leave a Reply