ଶିବସେନା ଛାଡ଼ିଲେ ଆଉ ଜଣେ ବିଧାୟକ; କହିଲେ, ବରିଷ୍ଠଙ୍କୁ କରାଯାଉଛି ଅଣଦେଖା

ମୁମ୍ୱାଇ: ମହାରାଷ୍ଟ୍ରରେ ଗାଦିଚ୍ୟୁତ ଶିବସେନା ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାରେ ବିରୋଧୀ ଦଳ ନେତା ଥିବା ରାମଦାସ କଦମ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାକୁ ସେ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଦେଇଛନ୍ତି । ଏହା ପୂର୍ବରୁ କଦମ୍‌ଙ୍କ ପୁଅ ବିଧାୟକ ଯୋଗେଶ କଦମ ଗୌହାଟୀରେ ସିନ୍ଦେଙ୍କ ଶିବିରରେ ଯୋଗଦେଇଥିଲେ ।

ବାଲାସାହେବ ଠାକ୍‌ରେ ତାଙ୍କୁ ଶିବସେନାର ନେତା କରିଥିଲେ । କିନ୍ତୁ  ତାଙ୍କ ଦେହାନ୍ତ ପରେ ଏହି ପଦବୀର କୌଣସି ଗୁରୁତ୍ୱ ନଥିବା ରାମଦାସ ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ୨୦୧୯ରେ କଂଗ୍ରେସ ଏବଂ ଏନ୍‌ସିପି ସହ ମେଣ୍ଟ ନକରିବାକୁ ଅନ୍ୟ କିଛି ନେତାଙ୍କ ଅନୁରୋଧ କରିଥିଲେ ।

ତେବେ ଉଦ୍ଧବଙ୍କ ଘନିଷ୍ଠ ଅନିଲ ପାରବଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା । ଏବଂ ତାଙ୍କ ପୁଅଙ୍କୁ ବହୁ ବାର ଅପମାନିତ କରାଯାଇଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ବରିଷ୍ଠ ନେତାଙ୍କୁ ବିଶ୍ୱାସକୁ ନେଉନଥିବା ଅଭିଯୋଗ ଆଣିଛନ୍ତି ।

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପରେ ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ। ସେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ପ୍ରଥମେ ସୁରଟରେ ପହଞ୍ଚିଥିଲେ ଏବଂ ପରେ ସେଠାରୁ ଗୌହାଟୀରେ ପହଞ୍ଚିଥିଲେ। ଦିନ ଗଡ଼ିବା ସହ ଉଦ୍ଧବଙ୍କ ସହ ଥିବା ବିଧାୟକ ଗୋଟିଏ ପରେ ଗୋଟିଏ ହୋଇ ଏକନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ। ସମର୍ଥନ ହରାଇବା ପରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ। ଏହା ପରେ ଫ୍ଲୋର ଟେଷ୍ଟରେ ଉଦ୍ଧବ ହାରିବା ସହ ଫ୍ଲୋର ଟେଷ୍ଟ ଜିତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏକନାଥ ସିନ୍ଦେ। ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଶପଥ ଗ୍ରହଣ କରିଥିଲେ । ଏହା ଦୁର୍ବଳ ହେବାରେ ଲାଗିଛି ଶିବସେନା । ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡ଼ୁଥିବା ଦେଖିବାକୁ ମିଳିଛୁ ।