ଏଥର ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍ ମଜା, ୧୪ରେ ଖୋଲିବ ଅଭୟାରଣ୍ୟ

ବାରିପଦା: ପାର୍ବଣରେ ଶିମିଳିପାଳର ମନମୁଗ୍ଧକର ପରିବେଶରେ ସମୟ ବିତାଇବାକୁ ପର୍ଯ୍ୟଟକଙ୍କୁ ମିଳିବ ସୁଯୋଗ । କାରଣ ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଆଗୁଆ ଖୋଲିବାକୁ ଯାଉଛି ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସୂଚନା । ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ପ୍ରବେଶ ଅନୁମତି ପାଇଁ ବୁକିଂ କାଉଣ୍ଟରରେ ଆବେଦନ କରିପାରିବେ ପର୍ଯ୍ୟଟକ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି । ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ଓ୍ବେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ ।

ପ୍ରତିବର୍ଷ ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଓ ନଭେମ୍ବର ପହିଲାରେ ଖୋଲିଥାଏ । ଶିମିଳିପାଳ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି । ବାଘ, ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି ଶିମିଳିପାଳ । ୯୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ତା’ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଂର ସୁବିଧା କରାଯାଇଛି ।