ଧାନ କିଣାରେ ଉଦାହରଣ ସାଜିଲେ SHG, ୧ ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ସଂଗ୍ରହ କଲେ ମହିଳା

1 min read

ସୁନ୍ଦରଗଡ଼: ଧାନ କିଣାରେ ମହିଳାଙ୍କ ସଫଳତା । ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇ ପାରଦର୍ଶିତା ଦେଖାଇଛନ୍ତି SHG ମହିଳା । ୭ଟି ବ୍ଲକରୁ ୧ ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ସଂଗ୍ରହ କରିଛି ଏସଏଚଜି । ସୁନ୍ଦରଗଡ଼ରେ ପାଇଲଟ୍ ଭିତ୍ତିରେ ଏସଏଚଜିକୁ ଧାନ ସଂଗ୍ରହ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ୭ଟି ବ୍ଲକରେ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରେ ନିୟୋଜିତ ହୋଇଥିଲେ । ଗତ ଖରିଫ୍ ୠତୁରେ ସେମାନେ ୧୯ ଶହ ୨୬ ଜଣ ଚାଷୀଙ୍କଠାରୁ ମୋଟ ୧ ଲକ୍ଷ ୮ ହଜାର ୪୯୫ କୁଇଣ୍ଟାଲ ଧାନ ସଂଗ୍ରହ କରିଛନ୍ତି ।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ SHG ମହିଳାଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ସୁନ୍ଦରଗଡ଼ରେ ପାଇଲଟ୍ ଭିତ୍ତିରେ ୮ଟି SHGକୁ ଦାୟିତ୍ୱ ଦିଆଯାଇଥିଲା । ଧାନ ସଂଗ୍ରହ କମିଟିର ନିଷ୍ପତ୍ତି କ୍ରମେ ମହିଳାମାନେ ଧାନ ସଂଗ୍ରହ କରଥିଲେ । ନୂଆ ଦାୟିତ୍ୱକୁ ସେମାନେ ସଠିକ୍ ଭାବେ ପରିଚାଳନା କରିପାରିଛନ୍ତି । ପ୍ରଥମ ବର୍ଷର ସଫଳତାକୁ ଆଧାରକରି ଜିଲ୍ଲାର ଆଉ ୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରକ୍ରିୟାରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ।

ଯେଉଁ SHG ପାଖରେ ଧାନ ଗଚ୍ଛିତ ରଖିବା ପାଇଁ ଗୋଦାମ ଘର, ମଣ୍ଡିକୁ ଯିବା ଆସିବା ଲାଗି ରାସ୍ତା, ବିଜୁଳି ଓ କମ୍ପ୍ୟୁଟର ସୁବିଧା ସହ ଡାଟା ଏଣ୍ଟ୍ରି ଅପରେଟର ରହିଥିବେ ସେମାନଙ୍କୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଉଛି । ସଦସ୍ୟାମାନଙ୍କୁ ଧାନ ସଂଗ୍ରହର ପ୍ରକ୍ରିୟା ଉପରେ ତାଲିମ ଦିଆଯାଉଛି । ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୈଷୟିକ ସହଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ।