ମାଛଚାଷ ଦେଖାଉଛି ରୋଜଗାରର ବାଟ

ଭୁବନେଶ୍ବର: ଚାଷୀଙ୍କ ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାରଙ୍କ ପ୍ରାଥମିକତା । ପାରମ୍ପରିକ ଧାନ, ମୁଗ ଏବଂ ବିରି ସହିତ ମାଛ, କୁକୁଡ଼ା, ବତକ ଓ ଦୁଗ୍ଧ ଚାଷ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଚାଷୀଙ୍କୁ ଏନେଇ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ କରାଯାଉଛି । ବିକଳ୍ପ ଚାଷ ପାଇଁ ନୂତନ ଜ୍ଞାନ କୌଶଳର ଉପଯୋଗ ସାଙ୍ଗକୁ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନା ତୃଣମୂଳସ୍ତର ଚାଷୀଙ୍କୁ ଆୟ ବୃଦ୍ଧିର ବାଟ ଦେଖାଉଛି ।

ମାଛଚାଷ ଦେଖାଉଛି ରୋଜଗାରର ବାଟ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ମାଛଚାଷକୁ ନେଇ ପ୍ରବଳ ଆଗ୍ରହ। ବିକଳ୍ପ ଚାଷ ପାଇଁ ରାଜ୍ଯ ସରକାରଙ୍କ ପ୍ରୋତ୍ସାହନ ସାଜିଛି ଆକର୍ଷଣ । ପାରମ୍ପରିକ ଧାନ, ମୁଗ ଓ ବିରି ସହ ମାଛ, କୁକୁଡ଼ା ଚାଷ  ଏବଂ ଗୋପାଳନ ରୋଜଗାର ବଢ଼ାଇବାର ମାଧ୍ୟମ ସାଜିଛି । ବିକଳ୍ପ ଚାଷରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସାଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ତୃଣମୂଳ ସ୍ତରରେ ଚାଷୀଙ୍କ ଆକୃଷ୍ଟ କରୁଛି । ମାଛଚାଷ ପରେ, ଏହାର ଉପଯୁକ୍ତ ମାକେର୍ଟିଂ ଦାୟିତ୍ବ ନେଇଛି ଫିସ୍ ଫେଡ୍ । ଭୁବନେଶ୍ବରରେ ୪୫ଟି ଚିଲିକା ଫ୍ରେସ କାଉଣ୍ଟର ଥିବା ବେଳେ ଆଗକୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଖୋଲିବ । ଏବେ ଓଡ଼ିଶା ପ୍ରାୟ ୪ ହଜାର ୮ଶହ କୋଟି ଟଙ୍କାର ସି’ ଫୁଡ୍ ରପ୍ତାନୀ କରୁଛି। ଆଗକୁ ଏହାକୁ  ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ବିଭାଗୀୟ ସଚିବ କହିଛନ୍ତି ।

ଚାଷୀଙ୍କ ଆୟ ବଢ଼ାଇବାକୁ ରାଜ୍ଯ ସରକାର ସବୁଆଡ଼ୁ ଗୁରୁତ୍ବ ଦେଇଛନ୍ତି । ଶସ୍ୟଭିତ୍ତିକ ଚାଷ ସହ ସମାନ୍ତରାଳ ଭାବେ ବିକଳ୍ପ ଚାଷ ଉପରେ ଫୋକସ କରାଯାଉଛି। ଗାଁର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମାଛଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ନିଜ ଘରବାଡ଼ିରେ କିପରି ଛତୁ, କୁକୁଡ଼ା, ମାଛ, ପରିବା, ବତକ, ଦୁଗ୍ଧଚାଷ କରିହେବ, ତା’ର ଜ୍ଞାନକୌଶଳ ପ୍ରଦାନରେ ମତ୍ସ୍ୟ ଓ ପ୍ରାଣୀ ସମାବେଶ ସହାୟକ ହେଉଛି । ମାଛଚାଷର ବିଭିନ୍ନ ପ୍ରଣାଳୀ ସହ ବତକ, କୁକୁଡ଼ା ଚାଷ, ଓ ଗୋପାଳନ ବାବଦରେ ସମାବେଶରେ ବିଭିନ୍ନ ଷ୍ଟଲରୁ  ସରକାରୀ ଯୋଜନା ନେଇ ବିସ୍ତୃତ ତଥ୍ୟ ମିଳୁଛି ।