ଡାକ୍ତର ଦମ୍ପତିଙ୍କ ଘରେ ଚାକରାଣୀ ଥିଲେ ୫ବର୍ଷରେ ହୋଇଗଲେ ଲକ୍ଷ ପତି

ନନ୍ଦିଘୋଷ ବ୍ୟୁରୋ : ଦିନେ ଚାକରାଣୀ ଭାବେ କାମ କରୁଥିଲେ ହେଲେ ୫ବର୍ଷରେ ହୋଇଗଲେ ଲକ୍ଷପତି । ଘରର ବାସନ ମାଜୁଥିଲେ ଛାଡ଼ୁ କରୁଥିଲେ କିନ୍ତୁ ଅାକାଉଣ୍ଟରେ ରଖିଥିଲେ ବିଡା ବିଡା ଟଙ୍କା । ଉତ୍ତରପ୍ରଦେଶର ହାଲଡୱାନି ପୋଲିସ ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହିଳା ଡାକ୍ତର ଦମ୍ପତିଙ୍କ ଘରେ ସଫେଇ କାର୍ଯ୍ୟ କରୁଥିଲେ । ଘରୋଇ କାମ ପାଇଁ ଏହି ଦମ୍ପତି ତାଙ୍କୁ ୨୦୧୯ ରେ ନିଯୁକ୍ତି ଦେଇଥିଲେ । ୨୦୨୨ ପର ଠାରୁ ତାଙ୍କ ଘରୁ ଟଙ୍କା ଚୋରି ହେଉଥିଲା । ଅଧିକ ଟଙ୍କା ଚୋରି ହେଉନଥିବାରୁ ଦମ୍ପତି ଧ୍ୟାନ ଦେଉନଥିଲେ । ଏହି ମାସ ଡାକ୍ତର ତାଙ୍କ ଅାଲମାରୀରେ ୧୦ଲକ୍ଷ ଟଙ୍କା ରଖିଥିଲେ । ଦୁଇଦିନ ପରେ ଯେତେବେଳେ ନଗଦ ଟଙ୍କା ଗଣନା କରାଯାଇଥିଲା ସେତେବେଳେ ଏହା ପ୍ରାୟ ପାଞ୍ଚଲକ୍ଷ ଟଙ୍କା କମ୍ ଥିଲା । ଏହା ପରେ କ୍ୟାମେରା ସାହାଯ୍ୟରେ ଚାକରାଣୀ ଚୋରି କରିବା ସମୟର ଭିଡିଓ ସାମ୍ନାକୁ ଅାସିଥିଲା । ତା ପରେ ଜେଲକୁ ପଠାଇଛି ପୋଲିସ ।

ସୂଚନା ଅନୁସାରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇବା ସମୟରେ ଡାକ୍ତର ରାହୁଲ ସିଂ କହିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ବୃତ୍ତିରେ ଡାକ୍ତର, ସହରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି । ତାଙ୍କ ଘର ନୈନତାଲ ରୋଡରେ ଅବସ୍ତିତ । ୨୦୧୯ ମସିହାରେ ସେ ତାଙ୍କ ଘରେ ଘରୋଇ କାମ ପାଇଁ ମଧୁ ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ତାଙ୍କୁ ମାସିକ ୪୫୦୦ ଟଙ୍କା ଦରମା ଦେଉଥିଲେ । ୨୦୨୨ରୁ ତାଙ୍କ ଘରେ ଟଙ୍କା ବାରମ୍ବାର ଉଭାନ ହେବାକୁ ଲାଗିଲା । ଟଙ୍କାର ପରିମାଣ କମ ଥିବାରୁ ସେ ଧ୍ୟାନ ଦେଉନଥିଲେ । ଜୁଲାଇ ୨୨ରେ ସେ ଅାଲମାରିରେ ୧୦ଲକ୍ଷ ଟଙ୍କା ରଖିଥିଲେ । ଯେତେବେଳେ ଅାଲମାରିରେ ରଖାଯାଇଥିବା ନଗଦ ଟଙ୍କା ୨୫ତାରିଖରେ ଗଣାଯାଇଥିଲା, ସେତେବେଳେ ଏଥିରୁ ୪ଲକ୍ଷ ୭୦ହଜାର ଟଙ୍କା କମ ଥିଲା । ଚାକରାଣୀକୁ ସନ୍ଦେହ କରି ସେ ହ୍ୟାଣ୍ଡି କ୍ୟାମେରାକୁ ରେକର୍ଡଂ ମୋଡରେ ରଖିଥିଲେ ଏବଂ ସେଠାରେ ଥିବା ନୋଟ ଗୁଡିକର କ୍ରମିକ ସଂଖ୍ୟାର ଫଟୋ ଉଠାଇଥିଲେ । କାରଣ ପୂର୍ବଦିନ ଗଣାଯାଇଥିବା ବେଳେ ୭୫୦୦ ଟଙ୍କା କମ୍ ଥିଲା । ଯେତେବେଳେ କ୍ୟାମେରା ରେକର୍ଡଂ ଦେଖିଲେ ସେତେବେଳେ ଚାକରାଣୀ ମଧୁ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।

ହାଲଡୱାନୀ ପୁଲିସ ଅଧିକାରୀ ହରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଡାକ୍ତର ରାହୁଲ ସିଂ ଏ ସମ୍ପର୍କରେ ପୋଲିସକୁ ଅଭିଯୋଗ କରିବା ସହ ପ୍ରମାଣ ମଧ୍ୟ ଦେଇଛନ୍ତି । ଏହା ପରେ ମଧୁଙ୍କୁ ତାଙ୍କ ଘରେ ଗିରଫ କରାଯାଇଥିଲା । ପୋଲିସ ତାଙ୍କ ଘରୁ ଚୋରି ହୋଇଥିବା ୪ଲକ୍ଷ ୭୭ହଜାର ୫୦୦ଟଙ୍କା ଜବତ କରିଛି । ଯେତେବେଳେ ପୋଲିସ ମଧୁଙ୍କ ବ୍ୟାଙ୍କ ଅାକାଉଣ୍ଟ ଚେକ୍ କରିଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ୬ଲକ୍ଷ ୩୦ହଜାର ଟଙ୍କା ଅାକାଉଣ୍ଟରେ ଜମା ହୋଇଥିଲା ।  ମଧୁ ସ୍ବୀକାର କରିଛନ୍ତି ଯେ ବ୍ୟାଙ୍କରେ ଜମା ହୋଇଥିବା ବହୁ ଟଙ୍କା ସେ ଚୋରି କରିଛନ୍ତି । ମଧୁଙ୍କ ବ୍ୟାଙ୍କ ଅାକାଉଣ୍ଟ ଫ୍ରିଜ୍ କରାଯାଇଛି ଏବଂ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଛି ।