ରାଜନୀତି ଗଣିତର ବିସାରଦ ଶରଦ ପୱାର, କଂଗ୍ରେସକୁ ଭାଙ୍ଗି ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ମୁଖ୍ୟମନ୍ତ୍ରୀ..

ମୁମ୍ବାଇ: ଶରଦଚନ୍ଦ୍ର ଗୋବିନ୍ଦରାଓ ପୱାର ଅର୍ଥାତ ଶରଦ ପୱାର ଜାତୀୟ ରାଜନୀତି ଏବଂ ମହାରାଷ୍ଟ୍ରର ରାଜନୀତିରେ ଏକ ବଡ଼ ନାଁ । ତୃଣମୂଳ ସ୍ତରରୁ ନେଇ କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ ହଟଚମଟ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କିତ ଖବର ଉପରେ ମଧ୍ୟ ତାଙ୍କର ମଜବୁତ ନେତୃତ୍ୱ ରହିଥିବାର ଦେଖିସାରିଛେ । ସେ ମହାରାଷ୍ଟ୍ରର ପ୍ରତି ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀକୁ ଜାଣିଛନ୍ତି । ଏବଂ ସମ୍ଭବତଃ ସବୁ ନେତାଙ୍କୁ ଜାଣିଛନ୍ତି । ଏହା ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ତାଙ୍କର ଶକ୍ତିଶାଳୀ ହେବାର ରାଜ ମଧ୍ୟ ଅଟେ ।  ଶରଦ ପୱାର ରାଜନୈତିକ ସମୀକରଣ ବସାଇବା ଏବଂ ନୂଆ ଲୋକଙ୍କୁ ରାଜନୈତିକ ପିଚରେ ଲଞ୍ଚ୍ କରାଇବା ପାଇଁ ଜଣାଶୁଣା ।

ପୱାର ୧୯୭୩ରେ ଜଣେ ଦଳିତ ସବଇନିସପେକ୍ଟର ସୁଶୀଲ କୁମାର ଶିନ୍ଦେଙ୍କୁ ସରକାରୀ ଚାକିରିରୁ ହଟାଇ ସିଧା କଂଗ୍ରେସରେ ଲଞ୍ଚ୍ କରାଇଥିଲେ । ଶିନ୍ଦେ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ହୋଇଥିଲେ । ପୱାର ୧୯୯୦ରେ ଶିବସେନା ସୁପ୍ରିମୋ ବାଲା ସାହେବ ଠାକରେଙ୍କୁ ଝଟକା ଦେଇ ତାଙ୍କର ଖାସ୍ ରହିଥିବା ଛଗନ ଭୁଜବଲଙ୍କୁ ଶିବସେନାରୁ କାଢ଼ି କଂଗ୍ରେସରେ ସାମିଲ କରାଇଥିଲେ । ପରେ ଭୁଜବଲ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଶରଦ ପୱାର ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ବିଦ୍ରୋହ କରିବା ଏବଂ କଂଗ୍ରେସ ଭାଙ୍ଗି ମହାରାଷ୍ଟ୍ରରେ ନିଜ ସରକାର ବନାଇବା ଥିବା ଯୋଗୁଁ ଚର୍ଚ୍ଚାରେ ରହିଥିଲେ ।

୧୯୭୮ରେ ଯେବେ କେନ୍ଦ୍ରରେ ଜନତା ପାର୍ଟିର ମୋରାରଜୀ ଦେସାଇଙ୍କ ସରକାର ଥିଲା, ତେବେ ସେ ମହାରାଷ୍ଟ୍ରର ବସନ୍ତଦାଦା ପାଟିଲଙ୍କ ସରକାର ଭାଙ୍ଗି ନିଜ ସରକାର ବନାଇଥିଲେ । ସେବେ ତାଙ୍କର ବୟସ ମାତ୍ର ୩୮ ବର୍ଷ ଥିଲା ଏବଂ ସେ ପ୍ରଥମଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ କଂଗ୍ରେସକୁ ବିଭାଜିତ କରି ପ୍ରଗତିଶୀଳ ଲୋକତାନ୍ତ୍ରିକ ମୋର୍ଚ୍ଚାର ବ୍ୟାନର ତଳେ ଜନତା ପାର୍ଟି ସହ ମେଣ୍ଟ କରି ସରକାର ଗଠନ କରିଥିଲେ ।

ଏହାର ୧୧ ବର୍ଷ ପୂର୍ବେ ହିଁ ଶରଦ ପୱାର ୧୯୬୭ରେ କେବଳ ୨୬ ବର୍ଷ ବୟସରେ ପ୍ରଥମଥର ମହାରାଷ୍ଟ୍ର ବିଧାନସଭାରେ ବାରାମତୀରୁ ବିଧାୟକ ହୋଇ ପ୍ରବେଶ କରିଥିଲେ । ଏମିତିକି ଏକ ସମୟରେ ଶରଦ ପୱାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ । ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ୧୯୯୧ରେ ସେ ନିଜର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସବୁଠୁ ନିକଟର ପହଞ୍ଚିଥିଲେ କିନ୍ତୁ ତାଙ୍କୁ ପିଭି ନରସିହ୍ମା ରାଓଙ୍କ ଅଧୀନରେ ପ୍ରତିରକ୍ଷା ମନ୍ତ୍ରୀ ହୋଇ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା ।

୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀ ସରକାର ଭାଙ୍ଗିବା ପରେ ସେ ପିଏମ୍ ପଦର ଦୌଡ଼ରେ ନିଜକୁ ଆଗରେ ଥିବା ଭାବୁଥିଲେ କିନ୍ତୁ ଅଚାନକ ସେ ଏପରି ପଛରେ ରହିଯାଇଥିଲେ ଯେ କଂଗ୍ରେସ ସହ ନିଜ ସମ୍ପର୍କ ଛିନ୍ନ କରିଥିଲେ ଏବଂ ନିଜର ନୂଆ ଦଳ ଏନସିପିର ଗଠନ କରିଥିଲେ । ପୱାରଙ୍କ ଛବି କଂଗ୍ରେସ ଭିତରେ ଅବିଶ୍ୱସନୀୟ ନେତା ଭାବେ ମଧ୍ୟ ରହିଥିଲା କାରଣ କ୍ଷମତା ହାସଲ କରିବା ପାଇଁ ସେ ନିଜର ଗୁରୁ ୟଶୱନ୍ତରାଓ ଚହ୍ୱୌନଙ୍କୁ ଛାଡ଼ି ଦେଇଥିଲେ । ଏହି ନିଷ୍ପତ୍ତି ତାଙ୍କୁ ଏବେବି ବ୍ୟଥିତ କରିଥାଏ । ଶରଦ ପୱାର ବିଦ୍ରୋହୀ ମନୋଭାବ ପାଇଁ ଜଣାଯାଇଥାନ୍ତି ।

ପ୍ରକାଶଥାଉକି, ରାଜନୀତିର ଚାଣକ୍ୟ ଶରଦ ପୱାର ନିଜ ଦଳ ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫା ପରେ ମହାରାଷ୍ଟ୍ରରେ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶରଦଙ୍କ ଇସ୍ତଫା ମହାରାଷ୍ଟ୍ର ରାଜନୀତିରେ ନୂଆ ପରିବର୍ତ୍ତନ ବୋଲି ଅନେକ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ବିନା କାରଣରେ ପୱାର ଇସ୍ତଫା ଦେବା କଥାଟା କାହାକୁ ହଜମ ହେଉନାହିଁ । ତେବେ ଇସ୍ତଫା ପଛରେ ତାଙ୍କର କଣ ରଣନୀତି ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।