ବାତ୍ୟା ‘ଦାନା’କୁ ନେଇ ସରକାରଙ୍କୁ ପଞ୍ଚାନନଙ୍କ ତାତ୍ସଲ୍ୟ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ରାଜ୍ୟ ସରକାରଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ତାତ୍ସଲ୍ୟ । ଅଭିଯୋଗ କରିଛନ୍ତି, ବାତ୍ୟା ନେଇ ଲୋକଙ୍କୁ ଆତଙ୍କିତ କଲେ ରାଜ୍ୟ ସରକାର । ପୂର୍ବରୁ ଓଡ଼ିଶା କେତେ ଭୟଙ୍କର ବାତ୍ୟାକୁ ସଫଳତାର ସହ ମୁକାବିଲା କରିଆସିଛି । ମହାବାତ୍ୟା ପରେ ଫାଇଲିନ୍‌, ହୁଡହୁଡ୍, ୟସ୍‌, ଫନି ଓ ଅମ୍ଫାନ୍‌ ଭଳି ବାତ୍ୟାରେ ଘଣ୍ଟା ପ୍ରତି ପ୍ରାୟ ୨୦୦ କି.ମି. ପବନ ବହିଥିଲା । ରାଜ୍ୟରେ ପୂର୍ବ ସରକାର ସମୟରେ ଦୁର୍ବିପାକ ମୁକାବିଲା ନେଇ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ଏବର ଡବଲ ଇଞ୍ଜିନ ସରକାର ନିଜର ବଡ଼ିମା ଦେଖାଇଛନ୍ତି ।

ସରକାର ଗତ ସପ୍ତାହେ ତଳୁ ଏହି ବାତ୍ୟାକୁ ନେଇ ଏପରି ବଢ଼େଇ ଚଢ଼େଇ ପ୍ରଚାର କଲେ, ଲାଗିଲା ଯେ ପୁଣି ଥରେ ଯେପରି ମହାବାତ୍ୟା ପରି ସ୍ଥିତି ସୃଷ୍ଟି ହେବ । ପ୍ରଥମେ କହିଲେ ୧୪ ଜିଲ୍ଲା ପ୍ରଭାବିତ ହେବ । ପରେ ଏହାକୁ ବଦଳାଇ ୧୧ ଓ ୯ ଜିଲ୍ଲା ପ୍ରଭାବିତ ହେବ ବୋଲି ପ୍ରଚାର କଲେ । ବାସ୍ତବରେ ହେଲା ବେଳକୁ ୩ ଜିଲ୍ଲା ପ୍ରଭାବିତ ହେଲା ।

ବାତ୍ୟା ନହେଲା ପୂର୍ବରୁ ସରକାର ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ପ୍ରଚାର କଲେ । ଏବେ କହୁଛନ୍ତି ୮ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି । ସରକାରଙ୍କ ଘନ ଘନ ପ୍ରଚାର ଯୋଗୁଁ ବାତ୍ୟା ପ୍ରଭାବ ପକାଉ ନଥିବା ଅଞ୍ଚଳର ଲୋକେ ବିକଳରେ ଚଢ଼ା ଦାମରେ ଜିନିଷ କିଣି ହଇରାଣ ହରକତ ହେଲେ । ଏଥିରେ କେବଳ ବେପାରୀ ଗୋଷ୍ଠୀଙ୍କର ଫାଇଦା ହେଲା ବୋଲି ସେ କହିଛନ୍ତି ।