ମ୍ୟାଚ୍ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା, ଟ୍ୱିନ୍ ସିଟିରେ ୮୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଟୁଇନ ସିଟିକୁ ଜଗିବେ ୮୨ ପ୍ଲାଟୁନ ଫୋର୍ସ । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଡିସିପି, ୭ ଜଣ ଆଡିସନାଲ ଡିସିପି, ୩୫ ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଖେଳାଳିଙ୍କଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଦିନ ୩ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲାଯିବ । ୧୪ଟି ଗେଟ୍‌ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବେ ଦର୍ଶକ ।

ଷ୍ଟାଡିୟମ ଭିତରେ ପାଖାପାଖି ୫୦ ହଜାର ଓ ବାହାରେ ୧୫ରୁ ୨୦ ହଜାର ଦର୍ଶକ ରହିବେ । ୨୦ ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ମାସ୍କ ପିନ୍ଧିନଥିଲେ ଷ୍ଟାଡିୟମ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ୍, ଦିଆସିଲ, ଖୁଚୁରା ପଇସା ଆଣି ପାରିବେନି ଦର୍ଶକ । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହେବେନାହିଁ । କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।