ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀକୁ ଜଗିବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବ୍ଲୁ ବୁକ୍ ଅନୁସାରେ ଏସପିଜି ସହିତ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ପୂରା ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩ ଶହ ପୋଲିସ ଅଧିକାରୀ ରହିବେ ସୁରକ୍ଷା ଦାୟିତ୍ବ ।

ବିମାନ ବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏହି ସବୁ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହିତଏସଟିୟୁ, ଓଡ୍ରାଫ, ୬ କମ୍ପାନୀ ସିଆରପିଏଫ ମଧ୍ୟ ମୁତୟନ ହେବେ । ଟ୍ରାଫିକ କଟକଣା ସହିତ ଜନଗହଳି ସ୍ଥାନରେ ବ୍ୟାରିକେଡ କରାଯାଇଛି ।

ଏହାସହ ସାଧା ପୋଷାକରେ ପୋଲିସ ଅଧିକାରୀ ରାଜଧାନୀର ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଡଗସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ବି ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଜନତା ମୈଦାନ ଓ ଗାଡ଼କଣରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।

ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପୂରା ଅଞ୍ଚଳ ସିସିଟିଭି ନଜରରେ ରହିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଆସନ୍ତା ମଙ୍ଗଳବାର ଭୁବନେଶ୍ଵର ଆସୁଛନ୍ତି ମୋଦି ।